ନଦୀକୁ ଶୌଚ ହେବା ପାଇଁ ଯାଇ ମହିଳା ନିଖୋଜ, ବହୁ ଖୋଜାଖୋଜି ପରେ ବି…

ଆନନ୍ଦପୁର ୧୬।୧(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ବିରିଡିହା ଗ୍ରାମର ଜଣେ ମହିଳା ନଦୀକୁ ଶୌଚ ହେବାପାଇଁ ଯାଇ ନିଖୋଜ ଅଛନ୍ତି । ସୂଚନାରୁ ଜଣାପଡିଛି , ଆନନ୍ଦପୁର ଥାନା ଅଧୀନ କଣ୍ଟିପାଳ ପଞ୍ଚାୟତ ବିରିଡିହା ଗ୍ରାମର ମିନତୀ ବେହେରା (୪୨) ଗୁରୁବାର ସକାଳ ୮.୩୦ ସମୟରେ ଘରେ ଥିବା ଶ୍ୱଶୁରଙ୍କୁ ଚା’ ପିଇବାକୁ ଦେଇ ନିକଟସ୍ଥ ଘଣ୍ଟିଆ ନାଳକୁ ଶୌଚ ହେବାପାଇଁ ଯାଇ ଘରକୁ ଫେରି ନଥିଲେ । ବୋହୂ ମିନତୀ ଫେରିବା ବିଳମ୍ବ ହେବାରୁ ଶ୍ୱଶୁର ଚେମଣ ବେହେରା (୭୦)ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ହେଲେ ସ୍ଥାନୀୟ ଲୋକ ଗ୍ରାମବାସୀ ବୋହୂଙ୍କୁ ଖୋଜାଖୋଜି କରିଥିଲେ ଏବଂ ବନ୍ଧୁ ବାନ୍ଧବ ଲୋକଙ୍କୁ ଫୋନ କରି ପଚାରିଥିଲେ ସୁଦ୍ଧା ମିନତୀଙ୍କର ସନ୍ଧାନ ମିଳି ନଥିଲା । ପରିବାରରେ କେବଳ ଶ୍ୱଶୁର ବୋହୂ ରହିଥିବା ବେଳେ ଶଳା ଭାଉଜର ନିଖୋଜ ଖବର ଶୁଣି ବେଲବାହାଳୀ ଡିହ ସାହି ଗ୍ରାମର ଜ୍ୱାଇଁ ଅଭିମନ୍ୟୁ ଦେହୁରୀ ଗୁରୁବାର ସନ୍ଧ୍ୟାରେ ଆନନ୍ଦପୁର ଥାନାରେ ଅଭିଯୋଗ କରିଥିଲେ। ଏ ପର୍ଯ୍ୟନ୍ତ ମିନତୀଙ୍କ ଖୋଜ ଖବର ମିଳିନଥିବା ବେଳେ ଗ୍ରାମରେ ପ୍ରଶ୍ନବାଚୀ ହୋଇରହିଛି ।

Dharitri – The Largest & Most Trusted Odia Daily