ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି। ଏହା ବିରୋଧରେ ଗ୍ରାମର ମହିଳାମାନେ ଶନିବାର ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି।

ଅଭିଯୋଗ ମୁତାବକ, ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକା ନିମନ୍ତେ ଶିଶୁ ସେବିକା ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥି ପାଇଁ ଉକ୍ତ ଗ୍ରାମର ୧୫ଜଣ ମହିଳା ଆବେଦନ କରିଥିଲେ। ଫେବୃୟାରୀ ୩ ତାରିଖରେ ବିଦ୍ୟାଳୟ ପରିଚାଳନା କମିଟି ଏବଂ ପ୍ରଧାନଶିକ୍ଷକ କୁଳମଣି ଭୋଇଙ୍କ ଉପସ୍ଥିତିରେ ଶିଶୁ ସେବିକା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବିଦ୍ୟାଳୟ ପରିଚାଳନା କମିଟିର ପୂର୍ବତନ ଅଧ୍ୟକ୍ଷ ସତ୍ୟବାନ ମହାନ୍ତଙ୍କ ସ୍ତ୍ରୀ ବବିତା ମହାନ୍ତଙ୍କୁ ବେଆଇନ ଭାବେ ଶିଶୁ ସେବିକା ଭାବେ ଚୟନ କରାଯାଇଥିବା ଗ୍ରାମର ମହିଳା ପ୍ରଣତି ମହାନ୍ତ, ଲଳିତା ମହାନ୍ତ, ସେବତୀ ମହାନ୍ତ, ଜ୍ୟୋସ୍ନାରାଣୀ ମହାନ୍ତ, ଅଙ୍କିତା ମହାନ୍ତ ଅଭିଯୋଗ କରିଛନ୍ତି।

କେମିତି ବବିତାଙ୍କୁ ଚୟନ କରାଗଲା ବୋଲି ପୂର୍ବରୁ ପ୍ରଧାନଶିକ୍ଷକଙ୍କୁ ଏବାବଦରେ ପଚାରିବାରୁ ପ୍ରଧାନଶିକ୍ଷକ କେବଳ ଏକ ମାଧ୍ୟମ ମାତ୍ର କହି କଥାକୁ ଏଡ଼ାଇ ଦେଇଥିଲେ। ତେଣୁ ବାଧ୍ୟ ହୋଇ ଶନିବାର ଅପରାହ୍ନ ୩ଟାରେ ମହିଳାମାନେ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା କହିଛନ୍ତି। ପ୍ରଧାନ ଶିକ୍ଷକ କୁଲମଣି ଭୋଇଙ୍କୁ ପଚାରିବାରୁ ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଆସନ୍ତା ସୋମବାର ଏକ ବୈଠକ କରାଯିବ ବୋଲି କହିଥିଲେ।