ଦିଗପହଣ୍ଡି,୨୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ଅଭାନୀୟ ଘଟଣା ଘଟିଛି। ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ମହିଳାଙ୍କ ଜୀବନ ଯାଇଛି। ଜଲମେରୀପଲ୍ଲୀ ଗାଁ ଘୋଡ଼ାହାଡ଼ ନଦୀ ଘାଟରେ ଏହି ଘଟଣା ଘଟିଛି। ସ୍ଥାନୀୟ ଲୋକ ଓ ଅଗ୍ନିଶମ ଟିମ ମହିଳାଙ୍କୁ ଉଦ୍ଧାର ଦିଗପହଣ୍ଡି ମେଡିକାଲ୍ରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ଲକ୍ଷ୍ମୀ ପ୍ରଧାନ(୭୦) ନାମ୍ନୀ ଜଣେ ବୃଦ୍ଧା ଜଣକ ଘରେ କାର୍ତ୍ତିକ ବ୍ରତ ପୂଜା ସାରି ସକାଳ ପ୍ରାୟ ୮ ଟାରେ କିଛି ପୂଜା ସାମଗ୍ରୀ ନଦୀକୁ ଫୋପାଡିବାକୁ ଯାଇଥିଲେ। ନଦୀପାଣିରେ ପୂଜା ସାମଗ୍ରୀ ଫୋପାଡି ଗାଧୋଉଥିବାବେଳେ ଅସାବଧାନତା କାରଣରୁ ନଦୀର ଗଭୀର ସ୍ରୋତରେ ଭାସି ଯାଇଥିଲେ। ଆଖପାଖରେ ଥିବା କିଛି ବ୍ୟକ୍ତି ତାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟାକରି ବିଫଳ ହେବା ପରେ ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ ଘଟଣାସ୍ଥଳରେ ପହଞ୍ଚି ବହୁ ସମୟ ଖୋଜାଖୋଜି କରିବା ପରେ ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରସ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ। ପରିବାର ଲୋକେ ତାଙ୍କୁ ଘରକୁ ନେଇ ଗାଁ ଶ୍ମଶାନରେ ଅନ୍ତିମ ସଂସ୍କାର କରିଦେଇଥିବା ଜଣାପଡିଛି। ଏନେଇ ଥାନାରେ କୌଣସି ଏତଲା ହୋଇ ନ ଥିବା ଜଣାପଡିଛି।