ଥୁଆମୂଳ ରାମପୁର,୧୪।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଖମାରପଦର ନିକଟ ଇନ୍ଦ୍ରାବତୀ ନଦୀରେ ମଙ୍ଗଳବାର ବାଲି କାଢୁଥିବା ସମୟରେ ଜଣେ ବୟସ୍କା ମହିଳା ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏବେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଉଛି ଖମାରପଦର ଗ୍ରାମର ନେତ୍ରା ମାଝୀଙ୍କ ସ୍ତ୍ରୀ ରୁକ୍ମଣୀ (୫୦)।
ସୂଚନା ମୁତାବକ ଖମାରପଦର ଗ୍ରାମର କିଛି ମହିଳା ନଦୀରୁ ବାଲି କାଢି ତାକୁ ବିକ୍ରି କରି ଦି ପଇସା ରୋଜଗାର କରିଥାନ୍ତି। ଯେଉଁଥିରେ ତାଙ୍କର ପରିବାର ପ୍ରତିପୋଷଣ କରିଥାନ୍ତି। ପୂର୍ବ ଦିନ ଗୁଡିକ ଭଳି ମଙ୍ଗଳବାର ମଧ୍ୟ ବାଲି କାଢିବାକୁ ଯାଇ ଏଭଳି ଅଘଟଣର ଶିକାର ହୋଇଛନ୍ତି। ଖବର ପାଇ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗର ହାବିଲଦାର ବନମାଳୀ ପୁଜାରୀଙ୍କ ନେତୃତ୍ୱରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନଦୀ ଗର୍ଭରେ ବୁଡିଯାଇଥିବା ରୁକ୍ମଣୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହା ପରେ ଥୁଆମୂଳ ରାମପୁର ପୋଲିସ ପକ୍ଷରୁ ସବ ଇନ୍ସପେକ୍ଟର ଭାସ୍କର ଖୋସ୍ଲା ପହଞ୍ଚି ତଦନ୍ତ ଆରମ୍ଭ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି। ଏନେଇ ଥୁଆମୂଳ ରାମପୁର ଥାନାରେ ୟୁଡି କେସ ନଂ ୭/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।