ଅମରପାଲି,୧୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳର ଗାଁଗାଁ ରେ ହେଉଛି ବ୍ୟାପକ ମଦ ବିକ୍ରି। ଅବକାରୀ ବିଭାଗ ସବୁ ଜାଣି ଚୁପ ରହୁଥିବାରୁ ଚୋରି ଓ ଦେଶୀ ମଦ ବିକ୍ରି ବଢ଼ିବାରେ ଲାଗୁଛି। ଫଳରେ ଅଞ୍ଚଳର ଲୋକେ ଅତିଷ୍ଠ ହୋଇ ପଡିଲେଣି। ଏହି କ୍ରମରେ ବ୍ଲକର କେନଝିରିଆପାଲି ପଞ୍ଚାୟତର ତେଲିପାଲି ଗ୍ରାମରେ ମଧ୍ୟ ଦୀର୍ଘ ଦିନ ହେଲା ବେଆଇନ ଭାବେ ମଦ ବିକ୍ରି ହେଉଛି। ମଦ ବେପାରୀମାନେ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ମାସିକିଆ ବଟି ଦେଇ ଖୁଲାମ ଖୁଲା ମଦ ବିକ୍ରି କରୁଛନ୍ତି। ଫଳରେ ମଦ୍ୟପମାନେ ଅନେକ ସମୟର ଗାଁ ଦାଣ୍ଡରେ ଗଣ୍ଡଗୋଳ କରିବା ସହିତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ମଦ୍ୟପମାନଙ୍କ ଯୋଗୁ ଗାଁ ରାସ୍ତା ଦେଇ ସ୍କୁଲ ଓ କଲେଜ ଯାଉଥିବା ଛାତ୍ରୀମାନେ ଅସୁରକ୍ଷିତ ଅନୁଭବ କରୁଛନ୍ତି। ମଦ ବ୍ୟବସାୟୀମାନେ ଦେଶୀ ମଦ ପ୍ରସ୍ତୁତ କରୁଛନ୍ତି। ଅତ୍ୟଧିକ ନିଶା ହେବା ପାଇଁ ମଦରେ ୟୁରିଆ, ସୁଲେସନ, ସ୍ପିରିଟ ଭଳି କେତେକ ବିଷାକ୍ତ ଦ୍ରବ୍ୟ ବ୍ୟବହାର କରୁଛନ୍ତି। ଉକ୍ତ ବିଷାକ୍ତ ମଦ ପିଇବା ଦ୍ୱାରା ଅନେକ ମଦ୍ୟପ ଅସମୟରେ ମୃତ୍ୟୁବରଣ କରୁଥିବାରୁ ଅନେକ ମହିଳା ଯୁବାବସ୍ଥାରେ ବିଧବା ହେଉଛନ୍ତି। ମଦ ପାଇଁ ଗାଁରେ ଅସନ୍ତୋଷ ଓ ଗଣ୍ଡଗୋଳ ହେଉଛି। ଫଳରେ ତେଲିପାଲି ଗ୍ରାମର ନାମ ମଣ୍ଡପରେ ଗ୍ରାମର ମହିଳାମାନେ ଏକ ବୈଠକ କରିଥିଲେ। ଗ୍ରାମରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଯିଏ ବି ନିୟମ ଉଲ୍ଲଙ୍ଘନ କରିବ ଏବଂ ମଦ ବିକ୍ରି କରିବ ତାହା ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ଏ ନେଇ ଏକ କମିଟି ମଧ୍ୟ ଗଠନ କରାଯାଇଛି। ଏଥିରେ ସର୍ବସମ୍ମତି କ୍ରମେ ସାରଳା ପାଣିଗ୍ରାହୀଙ୍କୁ ସଭାପତି ଓ ଜୟନ୍ତୀ ବାଘ ଙ୍କୁ ସମ୍ପାଦିକା ଭାବେ ଚୟନ କରାଯାଇଛି। ଏହା ସହିତ ଗୌରୀ ନାଏକ, ସୁବାଶିନୀ ସାହୁ,ସୁନବୁଇ ସାହୁ,ପୂର୍ଣମାସୀ ବେହେରା,ସୁଭଦ୍ରା ଗୁଙ୍ଘୁରିଆ,ବିନୋଦିନୀ ଭୁକ୍ତା,ସନ୍ଧ୍ୟାରାଣୀ ସାହୁ, ସୁପ୍ରିତା ପଧାନ, ସୁବାଶିନୀ ସାହୁ ପ୍ରମୁଖଙ୍କୁ ଉକ୍ତ କମିଟିର ସଭ୍ୟା ଭାବେ ଚୟନ କରାଯାଇଛି।ଗ୍ରାମରେ ମଦ ବିକ୍ରି ବନ୍ଦକୁ ନେଇ ଗ୍ରାମର ମହିଳାମାନେ ବୀରମହାରାଜପୁର ଥାନାକୁ ଯାଇ ଏକ ଦାବିପତ୍ର ଦେବାକୁ ମଧ୍ୟ ସ୍ଥିର କରାଯାଇଛି। ଏହି ବୈଠକରେ ଗ୍ରାମର ସମସ୍ତ ସୟଂ ସହାୟିକା ଗୋଷ୍ଠୀର ମହିଳାମାନେ ମଧ୍ୟ ଯୋଗଦେଇଥିଲେ। ପୂର୍ବତନ ଜିଲା ପରିଷଦ ସଭ୍ୟ ରାଜ ଗୋପାଳ ପାଣିଗ୍ରାହୀ, ଏମବିକେ ଗୀତାଞ୍ଜଳି ଜେନା,ପୂର୍ବତନ ଜିଲା ପରିଷଦ ସଭ୍ୟା ଗାୟତ୍ରୀ ପାଣିଗ୍ରାହୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।