ପାରାଦୀପ,୨୦।୧(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍ ଥାନା ଅନ୍ତର୍ଗତ ପିପ୍ପଳ ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଘର ପଛ ପଟେ ରୋଷେଇ କଲା ବେଳେ ନିଆଁ ଲାଗି ପ୍ରଥମେ ପାଳ ଗଦା ଏବଂ ରୋଷେଇ ଘର ପୋଡି ଯାଇଛି। ସେଥିରେ ମହିଳା ଜଣକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ମୃତ ମହିଳା ହେଲେ ରିନୀକୁମାରୀ ଦଳାଇ(୨୫)। ନିଆଁ ଲାଗିବା ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।ସେତେବେଳକୁ ମହିଳା ଜଣକ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା।
ଖବର ଲକଥାନା ପୋଲିସ ପହଞ୍ଚି ଶବକୁ ଜବତ କରି ବିଜୁ ମେମୋରିଆଲ ହସ୍ପିଟାଲରେ ସଂରକ୍ଷିତ ରଖିଛି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି। ମୃତ ମହିଳାଙ୍କ ୭ ମାସର ଶିଶୁ ପୁତ୍ର ଓ ରୋଗାକ୍ରାନ୍ତ ଶ୍ବଶୁର ଏହି ନିଆଁରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମହିଳାଙ୍କ ଶାଶୁ କର୍କଟ ରୋଗର ଆକ୍ରାନ୍ତ ଥିବାରୁ ସେ କଟକରେ ଚିକିତ୍ସିତ ହେଉଛନ୍ତି। ସେଠାରେ ସ୍ବାମୀ ନଣନ୍ଦ ଅଛନ୍ତି। ଏପରି ସମୟରେ ଅଗ୍ନିକାଣ୍ଡ ଯୋଗୁ ଘରର ବୋହୁ ଦଗ୍ଧ ହେବା ଘଟଣା ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି କରିଛି।