ମୋରଡା,୨୪।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ପିଲା ଚୋରି ସନ୍ଦେହରେ ଲୋକେ ଜଣେ ଅଚିହ୍ନା ଯୁବକଙ୍କୁ ପିଟିପିଟି ମାରିଦେବା ଘଟଣାରେ ଉତ୍ୟକ୍ତ ମହିଳାମାନେ ଆଜି ମୋରଡା ଥାନା ଗେଟ୍ ବନ୍ଦ କରିବା ସହିତ ରାସ୍ତା ରୋକୋ କରିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ଯୁବକଙ୍କୁ ମାରିବା ଘଟଣାରେ ପୋଲିସ ୭୬/୨୬ରେ ଏକ ମାମଲା ରୁଜୁ କରିଥିବା ବେଳେ ଚାରି ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ସୁମିତ କୁମାର ସୋରେନ କହିଛନ୍ତି। ଅପରପକ୍ଷରେ ପୋଲିସ ଉକ୍ତ ଥାନା ଅଧୀନ ଡେଙ୍ଗାଶୋଳ, ସମାଇଡ଼ିହି, ହାଣ୍ଡିଭଙ୍ଗା, ଲଦଡ଼ିହି ଆଦି ଗ୍ରାମର ୧୦ରୁ ଅଧିକ ଲୋକଙ୍କୁ ରାତି ଅଧରେ ବିନା କାରଣରେ ଉଠାଇ ଆଣିଥିବାର ଅଭିଯୋଗ କରିଛନ୍ତି ଗ୍ରାମର ମହିଳାମାନେ। ଆଜି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ୩୦ରୁ ଅଧିକ ମହିଳା ଥାନାକୁ ଯାଇ ପୋଲିସକୁ ଏ ବାବଦରେ ପଚାରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା। ତେଣୁ ଉତ୍ୟକ୍ତ ହୋଇ ମହିଳାମାନେ ଥାନା ଗେଟ୍ ବନ୍ଦ କରିବା ସହିତ ମୋରଡା ବଜାର ମୁଖ୍ୟ ରାସ୍ତା ବନ୍ଦ କରିଥିବାର ଦେଖିବାକୁ ମିଳିଛି। ଘଟଣାରେ ପୋଲିସ ଉଠାଇଥିବା ବ୍ୟକ୍ତିମାନେ ହେଲେ ମାନ ଟୁଡୁ(ସମାଇଡ଼ିହି)
ବାବୁଲୁ ମାରାଣ୍ଡି,ସୁନାରାମ ମାରାଣ୍ଡି,ରାମଦାସ ହାଁସଦା,ମୋହନ ହାଁସଦା,ରାଇସେନ ଟୁଡୁ,ଶିବ ମାଝୀ,ପାଢୁଆ ମାଝୀ,ପାଣ୍ଡୁ ମାଝୀ ,ଖୁଦିରାମ ମୁର୍ମୁ, ଜଟିରାମ ମାହାଲି । ତେବେ ଏମାନଙ୍କ ମଧ୍ୟରୁ କିଛି ଜଣ ଦେବଶୋଳ ମେଳାକୁ ବୁଲିବାକୁ ଯାଇଥିବା ବେଳେ ଅନ୍ୟ କିଛି ଜଣ ଆଦିବାସୀ ଜାହିରା ପୂଜାରେ ବ୍ୟସ୍ତ ଥିଲେ। ପୋଲିସ କିଛି ନବୁଝି ଏମାନଙ୍କୁ ଉଠାଇ ନେଇଛି ବୋଲି ମହିଳାମାନେ କହିଛନ୍ତି। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ ହୋଇଥିବା ବେଳେ ଉତ୍ତେଜନା ବୃଦ୍ଧି ପାଇଥିଲା। ଖବରପାଇ ଘଟଣାସ୍ଥଳରେ ଏସଡିପିଓ ମିନତୀ ବିଶ୍ୱାଳ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ଏ ବାବଦରେ ବିଶ୍ୱାଳଙ୍କୁ ପଚାରିବାରୁ ପୋଲିସ ଘଟଣାର ତଦନ୍ତ ପାଇଁ କିଛି ଲୋକଙ୍କୁ ଅଟକ ରଖି ପଚାରାଉଚରା କରୁଛି ଏବଂ ପିଲା ଚୋରିକୁ ନେଇ ଲୋକେ ଚିନ୍ତିତ ନ ହୋଇ ସନ୍ଦେହ ହେଲେ ପୋଲିସକୁ ଜଣାନ୍ତୁ ବୋଲି କହିଛନ୍ତି।