ଥାନାରେ କୀଟନାଶକ ଔଷଧ ଖାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କ ଅନ୍ୟତ୍ର ବିବାହ ପ୍ରସ୍ତୁତି ଖବର ପାଇ..

ଦେବଗଡ, ୧୨।୧୨ (ଶଶାଙ୍କ ଶେଖର ଝାଙ୍କର): ଅଭିଯୋଗ କରିବାକୁ ଆସିଥିବା ମହିଳା ଦେବଗଡ ଥାନା ଭିତରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ଉଦ୍ଧାର କରି ଦେବଗଡ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଚିକିତ୍ସା ପରେ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା ଜଣାପଡିଛି । ଦେବଗଡ ଥାନା ଅନ୍ତର୍ଗତ ମୋହିନୀପୁର ଗ୍ରାମର ବିକାଶ ରଣଜିତଙ୍କୁ ଭୁକାବେଡା ଗ୍ରାମର ପିଙ୍କି ବେହେରା ଗତ ଜୁନ ମାସରେ ପ୍ରେମ ବିବାହ କରିଥିଲେ। ବିବାହରେ ଝିଅ ଘର ପରିବାର ରାଜି ନଥିବା ବେଳେ ପୋଲିସର ଦ୍ୱାରସ୍ଥ ହୋଇ ଦୁଇ ଜଣ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ବିକାଶ ରୋଜଗାର ପାଇଁ ବାହାରକୁ ଯାଇଥିବା ବେଳେ ଶାଶୁ ଘରେ ଅନ୍ୟମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ପିଙ୍କି ବାପ ଘରେ ରହୁଥିଲେ । ଏହାରି ଭିତରେ ବିକାଶଙ୍କୁ ଅନ୍ୟତ୍ର ବିବାହ ପାଇଁ ପରିବାର ଲୋକ ପ୍ରସ୍ତୁତ ହେଉଥିବା ଖବର ପାଇ ପିଙ୍କି ଦେବଗଡ ଥାନାକୁ ଯାଇଥିଲେ । ଏଥିସହ ନିଜ ସାଙ୍ଗରେ ନେଇଥିବା କୀଟନାଶକ ଔଷଧ ଖାଇ ଥାନା ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିବା ବେଳେ ମହିଳାଙ୍କ ଚିକିତ୍ସା ଜାରି ରହିଛି ।

 

Dharitri – The Largest & Most Trusted Odia Daily