ହିଞ୍ଜିଳିକାଟୁ, ୧୧।୧୧( ଦ୍ବିତୀକୃଷ୍ଣ ପଣ୍ଡା): ସକାଳେ ପରିବା ଦେବା ବାହାନାରେ ଘରକୁ ଆସି ପରିବା ଦେଇଗଲେ। ସନ୍ଧ୍ୟାରେ ବଳପୂର୍ବକ ଘରେ ପଶି ଖଣ୍ଡାରେ ମହିଳାଙ୍କୁ ହାଣିଲେ। ଅନ୍ୟ ପକ୍ଷରେ ଆକ୍ରମଣକାରୀଙ୍କୁ ସାହାସିକତା ସହ ମୁକାବିଲା କରି ମହିଳା ଜଣକ ପାଟି କରିବାରୁ ଆକ୍ରମଣ କାରୀ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଧସ୍ତାଧସ୍ତିରେ ଆକ୍ରମଣକାରୀଙ୍କ ସାର୍ଟକୁ ଝିଙ୍କି ଧରିବା ସହ ସାର୍ଟ ଓ ହେଲମେଟ ଛାଡ଼ି ଦୌଡିଲେ ଆକ୍ରମଣକାରୀ। ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସହରରେ।
ପ୍ରକାଶ ଯେ, ହିଞ୍ଜିଳିକାଟୁ କଲେଜ ନିକଟ ଜାତୀୟ ରାଜପଥ ନଂ -୫୯ ଉପରେ ରାମ ଗନ୍ତାୟତଙ୍କ ଘର। ସୋମବାର ସନ୍ଧ୍ୟାରେ ଦୁଇଜଣ ଅଚିହ୍ନା ବ୍ୟକ୍ତି ରାମ ଗନ୍ତାୟତଙ୍କ ଘରେ ବଳପୂର୍ବକ ପଶି ରାମ ଗନ୍ତାୟତଙ୍କ ସ୍ତ୍ରୀ ଶାନ୍ତି ଗନ୍ତାୟତ (୩୯) ଙ୍କୁ ଆକ୍ରମଣ କରିଛନ୍ତି। ଅନ୍ୟ ପକ୍ଷରେ ଆକ୍ରମଣ ବେଳେ ଆକ୍ରମଣକାରୀ ଓ ମହିଳାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ମହିଳା ଜଣକ ସାହାସିକତା ସହ ଆକ୍ରମଣକାରୀଙ୍କ ହେଲମେଟ ଓ ସାର୍ଟକୁ ଜାବୁଡ଼ି ଧରି ପାଟି କରିବାରୁ ୨ ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଆକ୍ରମଣକାରୀଙ୍କ ହେଲମେଟ ଓ ଚିରା ସାର୍ଟ ଛାଡି ଯାଇଛନ୍ତି। ମହିଳାଙ୍କ ଚିତ୍କାର ଶୁଣି ଅଞ୍ଚଳବାସୀ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଆକ୍ରମଣରେ ମହିଳାଙ୍କ ବେକ ଓ ହାତର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ଘଟିବାରୁ ତାଙ୍କୁ ସାହି ପଡୋଶୀ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀଙ୍କ ଛାଡ଼ିଯାଇଥିବା ହେଲମେଟ ଓ ଚିରା ସାର୍ଟକୁ ଜବତ କରିଛି। ମିଳିଥିବା ସୂଚନା ପ୍ରକାରେ, ସୋମବାର ସକାଳେ ଜଣେ ଯୁବକ ରାମ ଗନ୍ତାୟତଙ୍କ ଘରେ ପହଞ୍ଚି କିଛି ପରିବା ଦେବା ସହ ଶାନ୍ତିଙ୍କୁ ଭାଉଜ ବୋଲି ସମ୍ବୋଧନ କରି ଏହା ଭାଇନା ପଠାଇଛନ୍ତି ବୋଲି କହିଥିଲେ। ସନ୍ଧ୍ୟାରେ ପୁଣି ଥରେ ଉକ୍ତ ଯୁବକ ଓ ଅନ୍ୟ ଜଣେ ଏକ ବାଇକରେ ମହିଳାଙ୍କ ଘରକୁ ଆସିଥିଲେ। ଜଣେ ବାଇକରେ ଥିଲେ। ଅନ୍ୟ ଜଣେ ଭାଇନା ନାହାନ୍ତି କି ପଚାରିଥିଲେ । ସେ ଶାନ୍ତିଙ୍କୁ ଗରମପାଣି ମାଗିଥିଲେ। ଶାନ୍ତି ଗରମ ପାଣି ଆଣିବାକୁ ଯିବା ବେଳେ ହଠାତ୍ ଏକ ଖଣ୍ଡାରେ ଯୁବକ ଜଣଙ୍କ ଶାନ୍ତିଙ୍କୁ ଆକ୍ରମଣ କରିଥିଲେ। ମହିଳା ଜଣଙ୍କ ସାହାସିକତା ଦେଖାଇ ଖଣ୍ଡାକୁ ହାତରେ ଧରି ନେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ଓ ଶାନ୍ତି ଜୋରରେ ପାଟି କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଦୌଡ଼ି ପୂର୍ବରୁ ରାସ୍ତା ଉପରେ ଥିବା ସହଯୋଗୀଙ୍କ ବାଇକରେ ବସି ଚମ୍ପଟ ମାରିଥିଲେ। ଧସ୍ତାଧସ୍ତିରେ ଆକ୍ରମଣକାରୀଙ୍କ ସାର୍ଟକୁ ଧରିବା ସହ ସାର୍ଟ ଓ ହେଲମେଟ ରହିଯାଇଛି। ଯୁବକ ଜଣଙ୍କୁ ମହିଳା ଚିହ୍ନି ନଥିବା କହିଛନ୍ତି । ଅନ୍ୟ ପକ୍ଷରେ ଜାତୀୟ ରାଜପଥର ଜନ ଗହଳି ରାସ୍ତାରେ ଘରେ ପଶି ଏକାକୀ ଥିବା ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତ୍ୟନ୍ତ ବିପର୍ଯ୍ୟସ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ହିଞ୍ଜିଳି ପୋଲିସ ପହଞ୍ଚି ଚିରା ସାର୍ଟ, ହେଲମେଟକୁ ଜବତ କରି ତଦନ୍ତ ଚଳାଇଛି ।