ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇବା ପରେ ଏବେ ପୋଲିସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା। ଗଞ୍ଜାମ ଜିଲା ତାରସିଂ ଥାନା ପୋଲିସ ଗୁରୁବାର ଏହି ଘଟଣାରେ ସଂଧ୍ୟାରାଣୀ ସାହୁ ନାମକ ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୁକ୍ତ ସଂଧ୍ୟାରାଣୀ ତାରସିଂ ଥାନା ଅନ୍ତର୍ଗତ ଢୋଲପିଟା ରେଞ୍ଜ କାର୍ଯ୍ୟାଳୟ ନିକଟରେ ରହନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୧ ତାରିଖରେ ସେ ଗ୍ରାମର କିଛି ମହିଳାଙ୍କୁ ପ୍ରଲୋଭିତ କରି ସେମାନଙ୍କ ନାମରେ ବ୍ୟାଙ୍କରୁ ପ୍ରାୟ ୧୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଋଣ କରାଇଥିଲେ।
ଋଣ ଅର୍ଥ ଆସିବା ପରେ ସେ ଚତୁରତାର ସହ ମହିଳାମାନଙ୍କ ATM କାର୍ଡ ମାଧ୍ୟମରେ ସମସ୍ତ ଟଙ୍କା ନିଜେ ଉଠାଇ ନେଇଥିଲେ। ସେ ଋଣ ପରିଶୋଧ ନ କରିବାରୁ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ମହିଳାମାନଙ୍କୁ ନୋଟିସ ପଠାଯାଇଥିଲା। ଏହାପରେ ମହିଳାମାନେ ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।
ଟଙ୍କା ଫେରସ୍ତ ପାଇଁ ବାରମ୍ବାର ଦାବି କରିବା ସତ୍ତ୍ୱେ ସଂଧ୍ୟାରାଣୀ କୌଣସି ପଦକ୍ଷେପ ନେଇ ନ ଥିଲେ। ଶେଷରେ ୨୦୨୪ ଅଗଷ୍ଟ ୨୫ ରେ ମହିଳାମାନେ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରିବା ପରେ ସାରାଣୀ ଦୀର୍ଘ ଦିନ ଧରି ଫେରାର ଥିଲେ।
ତାରସିଂ ଥାନା ଅଧିକାରୀଣୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ପୋଲିସ ସଂଧ୍ୟାରାଣୀଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସାରାଣୀ କେବଳ ଏହି ଗ୍ରାମରେ ନୁହେଁ, ବରଂ ଅନ୍ୟ ଗ୍ରାମର ମହିଳାମାନଙ୍କୁ ମଧ୍ୟ ସମାନ ଶୈଳୀରେ ଠକେଇ କରିଥିବା ଆଶଙ୍କା କରାଯାଉଛି। ପୋଲିସ ଏବେ ଏହି ଦିଗରେ ଅଧିକ ତଦନ୍ତ ଜାରି ରଖିଛି।
Dharitri – Odisha’s No.1 Odia Daily