୯/୧୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର

ଜାତିସଂଘ, ୧୫।୪(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର ଲାଗି ସେପ୍ଟେମ୍ବର ୧୧ ସମୟସୀମା ଧାର୍ଯ୍ୟ କରିଛନ୍ତି। କାତାରରେ ତାଲିବାନ, ଆଫଗାନ ସରକାରଙ୍କ ମଧ୍ୟରେ ବୁଝାମଣା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଜାତିସଂଘ ପକ୍ଷରୁ ତୁର୍କୀରେ ପରବର୍ତ୍ତୀ ବୈଠକ ଡକାଯାଇଛି। ଏହି ଶାନ୍ତି ଆଲୋଚନାରେ ଭାଗ ନେବା ଲାଗି ଭାରତକୁ ଆମନ୍ତ୍ରଣ କରାଯାଇଛି।
ମେ’ ୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର ପାଇଁ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାରିଖ ଧାର୍ଯ୍ୟ କରିଥିଲେ। ତେବେ ଆଲୋଚନାରେ ଅଗ୍ରଗତି ହୋଇପାରୁ ନ ଥିବାରୁ ରାଷ୍ଟ୍ରପତି ବାଇଡେନ୍‌ ସାନି ତାରିଖ ଘୋଷଣା କରିଛନ୍ତି। ଇସ୍ତାନବୁଲ୍‌ଠାରେ ଏପ୍ରିଲ ୨୪ରୁ ଶାନ୍ତି ଆଲୋଚନା ଅନୁଷ୍ଠିତ ହେବ। ଏଥିରେ ଭାରତ, ଚାଇନା, ରୁଷିଆ, ପାକିସ୍ତାନ, ଇରାନ ଏବଂ ଆମେରିକାର ବହିର୍ବ୍ୟାପାର ମନ୍ତ୍ରୀ ଓ ରାଷ୍ଟ୍ରଦୂତମାନେ ଯୋଗଦେବେ।