ମା’ର ଢାଲରେ ସୁରକ୍ଷିତ ପୁଅର ଜୀବନ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରୁ ବର୍ତ୍ତିଲା ୮ ମାସର ଶିଶୁ

ଅହମଦାବାଦ,୨୮।୭: ଗତ ଜୁନ ୧୨ ତାରିଖରେ ଏୟାର ଇଣ୍ଡିଆର ବୋଇଙ୍ଗ ୭୮୭-୮ (ଆଇସି ୧୭୧) ଅହମଦାବାଦର ବିଜେ ମେଡିକାଲ କଲେଜର ଆବାସିକ କ୍ୱାର୍ଟର୍ସରେ ଦୁର୍ଘଟଣାଗ୍ରସ୍ତ ହେବାରେ ୨୬୦ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରୁ ମା’ ମନୀଷା କଚ୍ଛଡିଆଙ୍କ ସାହସ ଓ ମମତା ତାଙ୍କ ୮ ମାସର ପୁତ୍ର ‘ଧ୍ୟାନ୍ଶ’ଙ୍କୁ ବଞ୍ଚାଇଛି। ମନୀଷା ନିଜ ଶରୀରକୁ ଢାଲ କରି ‘ଧ୍ୟାନ୍ଶ’ଙ୍କୁ ନିଆଁ ଓ ଧୂଆଁରୁ ରକ୍ଷା କରିଥିଲେ। ଏପରିକି ଚିକିତ୍ସା ସମୟରେ ମଧ୍ୟ ସେ ନିଜ ଚର୍ମ ଦାନ କରି ପୁତ୍ରକୁ ପୁନର୍ବାର ଢାଲ ପରି ସୁରକ୍ଷା ଦେଇଛନ୍ତି।

ମନୀଷାଙ୍କ ସ୍ୱାମୀ କପିଲ କଚ୍ଛଡିଆ, ବିଜେ ମେଡିକାଲ କଲେଜରେ ୟୁରୋଲୋଜିରେ ଏମସିଏଚ୍ ଛାତ୍ର ଅଛନ୍ତି। ଦୁର୍ଘଟଣା ସମୟରେ ସେ ହସ୍ପିଟାଲରେ ଡ୍ୟୁଟିରେ ଥିଲେ। ମନୀଷାଙ୍କ କହିବାନୁସାରେ, ବିମାନ ଭୁଷୁଡ଼ିବା ପରେ ତାଙ୍କ ବାସସ୍ଥାନ ଗରମ ଓ ଧୂଆଁରେ ଭରି ଯାଇଥିଲା। ସେ ତୁରନ୍ତ ‘ଧ୍ୟାନ୍ଶ’ଙ୍କୁ କୋଳେଇ ଦୌଡ଼ିଥିଲେ, କିନ୍ତୁ ନିଆଁ ଓ ଧୂଆଁ ଯୋଗୁଁ ଉଭୟଙ୍କୁ ବହୁତ ଜଳାପୋଡ଼ା ହୋଇଥିଲା। ମନୀଷାଙ୍କର ୨୫% ଏବଂ ଧ୍ୟାନ୍ଶଙ୍କର ୩୬% ଶରୀର ଜଳିଯାଇଥିଲା।

ଉଭୟଙ୍କୁ କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଧ୍ୟାନ୍ଶଙ୍କୁ ପିଡିଆଟ୍ରିକ ଇଣ୍ଟେନ୍ସିଭ କେୟାର ୟୁନିଟରେ ରଖାଯାଇ ଭେଣ୍ଟିଲେଟର ସହାୟତାରେ ଚିକିତ୍ସା କରାଯାଇଥିଲା। ଡାକ୍ତରୀ ଟିମ୍‌ର ସୂଚନାନୁସାରେ, ‘ଧ୍ୟାନ୍ଶ’ଙ୍କ ଚର୍ମ ପ୍ରତିରୋପଣ ପାଇଁ ମନୀଷା ନିଜ ଚର୍ମ ଦାନ କରିଥିଲେ। କେଡି ହସ୍ପିଟାଲର ମ୍ୟାନେଜିଂ ଡାଇରେକ୍ଟର ଡ. ଅଦିତ ଦେସାଇ କହିଛନ୍ତି, “ମନୀଷାଙ୍କର ସାହସ ଓ ପ୍ରତିବଦ୍ଧତା ଦେଖି ଆମେ ସମସ୍ତେ ଆବେଗାନ୍ୱିତ ହୋଇଥିଲୁ। ଆମ ଟିମ୍ ଶିଶୁ ଓ ମା’ଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ଚେଷ୍ଟା କରିଥିଲା।”

କପିଲ ମଧ୍ୟ ଜଣେ ଡାକ୍ତର ହିସାବରେ ‘ଧ୍ୟାନ୍ଶ’ଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଡ. ରୁତ୍ବିଜ ପରିଖ କହିଛନ୍ତି, “କପିଲଙ୍କ ସହଯୋଗ ଓ ଧ୍ୟାନ ଯୋଗୁଁ ଚିକିତ୍ସା ଅଧିକ ସଫଳ ହୋଇଥିଲା।” ପାଞ୍ଚ ସପ୍ତାହର ନିବିଡ଼ ଚିକିତ୍ସା ପରେ ମନୀଷା ଓ ‘ଧ୍ୟାନ୍ଶ’ ଗତ ସପ୍ତାହରେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ମା’ଙ୍କ ଅସୀମ ସ୍ନେହ ଓ ସାହସ ନିଆଁ ଓ ଭାଗ୍ୟକୁ ପରାସ୍ତ କରି ତାଙ୍କ ପୁତ୍ରଙ୍କ ଜୀବନ ରକ୍ଷା କରିଛି।

ଏହି ଦୁର୍ଘଟଣାରେ କେଡି ହସ୍ପିଟାଲ ଛଅ ଜଣ ଆହତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇଥିଲା। ଡ. ସ୍ନେହଲ ପଟେଲ, ଡ. ତୁଷାର ପଟେଲ ଓ ଡ. ମାନସୀ ଦାଣ୍ଡନାଇକଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ଏହି ଚିକିତ୍ସା ସଫଳ କରିଥିଲେ।

 

Share