ଉତ୍ତର ଭାରତରେ ଶୀତ ଲହରି

ନୂଆଦିଲ୍ଲୀ/ଶ୍ରୀନଗର,୨୮ା୧୨: ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତ ଲହରି ଜାରି ରହିଛି। ଜମ୍ମୁ-କଶ୍ମୀରରେ ତାପମାତ୍ରା ଶୂନ ଡିଗ୍ରୀ ତଳେ ରହିଥିବାବେଳେ ଦିଲ୍ଲୀରେ ନୈନିତାଲଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଏଭଳି ଶୀତ ଲହରି ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅଧିକାଂଶ ଭାଗରେ ଅତି ଘନ କୁହୁଡ଼ି ଯୋଗୁ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଜମ୍ମୁ-କଶ୍ମୀରରେ ପ୍ରବଳ ଥଣ୍ଡା ଯୋଗୁ ପାଣି ପାଇପ୍‌ଗୁଡ଼ିକ ବରଫ ହୋଇଯାଇଛି। ସେହିପରି ଡାଲ୍‌ ହ୍ରଦ ସମେତ ଉପତ୍ୟକାର ଅଧିକାଂଶ ଜଳାଶୟ ବରଫ ପାଲଟିଯାଇଛି। ଶ୍ରୀନଗରର ସର୍ବନିମ୍ନ ତାପମାତ୍ରା ବିଯୁକ୍ତ ୪.୮ ଡିଗ୍ରୀ ଥିବାବେଳେ ପହଲଗାମରେ ବିଯୁକ୍ତ ୬.୭ ଡିଗ୍ରୀ ରେକର୍ଡ କରାଯାଇଛି। ବାରମୁଲ୍ଲା ଜିଲାର ଗୁଲ୍‌ମାର୍ଗରେ ତାପମାତ୍ରା ବିଯୁକ୍ତ ୫.୯ ଡିଗ୍ରୀ ଏବଂ କୁପଓ୍ବାଡ଼ାରେ ବିଯୁକ୍ତ ୪.୮ ଡିଗ୍ରୀ ସେଲ୍‌ସିୟସ ରହିଛି। ନୈନିତାଲର ତାପମାତ୍ରା ୭.୨ ଡିଗ୍ରୀ ଥିବାବେଳେ ଦିଲ୍ଲୀ ସଫଦରଜଙ୍ଗରେ ତାପମାତ୍ରା ୫.୬ ଡିଗ୍ରୀ ଏବଂ ଆୟାନଗରରେ ୪ ଡିଗ୍ରୀକୁ ଖସିଯାଇଛି। ଘନ କୁହୁଡ଼ି ଯୋଗୁ ପାଲାମ ଏବଂ ସଫଦରଜଙ୍ଗ ବିମାନବନ୍ଦରରେ ମଙ୍ଗଳବାର ସକାଳେ ମାତ୍ର ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟ ହେଉଥିଲା।