ଦାରିଙ୍ଗବାଡ଼ିକୁ ବିଳମ୍ବରେ ଆସିଲା ଶୀତ: ଖସୁଛି ପାରଦ, ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୯।୧୧(ଅରୁଣ ସାହୁ): ‘ଓଡ଼ିଶାର କାଶ୍ମୀର’ ଭାବେ ପରିଚିତ ଦାରିଙ୍ଗବାଡ଼ିରେ ଚଳିତ ବର୍ଷ ଶୀତ ଆସିବାରେ ବିଳମ୍ବ ହୋଇଥିବା ବେଳେ ଗତ ଦୁଇ ଦିନ ହେବ ତାପମାତ୍ରା ଧୀରେ ଧୀରେ ଖସିବାରେ ଲାଗିଛି। ଫଳରେ ସହରରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି।

ଘର ଭିତର ଅପେକ୍ଷା ବାହାର ପରିବେଶରେ ଶୀତ ଅଧିକ ଅନୁଭୂତ ହେଉଛି। ଥଣ୍ଡା ପବନ ଯୋଗୁଁ ବିନା ଶୀତବସ୍ତ୍ରରେ ବାଇକ୍ କିମ୍ବା ଖୋଲା ଯାନରେ ଯାତାୟାତ କଲେ ଶରୀର ଥରିବାର ଦୃଶ୍ୟ ଦେଖିବାକୁ ମିଳୁଛି। ପାଣି ମଧ୍ୟ ଜାଡ଼ ହେବାରେ ଲାଗିଛି।

ବିଳମ୍ବିତ ରାତିରୁ ହିଁ ଘନ କୁହୁଡ଼ି ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ସାରା ଅଞ୍ଚଳକୁ ଆଚ୍ଛାଦିତ କରି ରଖୁଛି। ଏହି ସମୟରେ ଶୀତର ମାତ୍ରା ଦ୍ୱିଗୁଣିତ ହେଉଥିବାରୁ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ହେଉଛି।

ସନ୍ଧ୍ୟା ଏବଂ ସକାଳ ସମୟରେ ଶୀତରୁ ରକ୍ଷା ପାଇ ଟିକିଏ ଉଷୁମ ହେବା ପାଇଁ ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ଲଗାଇ ବସୁଥିବା ଦେଖାଯାଉଛି। ଏହା ସହିତ ଚାହା ଦୋକାନରେ ଚା’ ଖଟି ମଧ୍ୟ ବୃଦ୍ଧି ପାଇଛି। ଶୀତ ବଢ଼ିବା ସହ ଦାରିଙ୍ଗବାଡ଼ିର ମଜା ନେବା ପାଇଁ ପର୍ଯ୍ୟଟକମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି।

Share