New Zealand's captain Kane Williamson celebrates his century during day two of the second international cricket Test match between New Zealand and Pakistan at Hagley Oval in Christchurch on January 4, 2021. (Photo by Marty MELVILLE / AFP) (Photo by MARTY MELVILLE/AFP via Getty Images)
ଖ୍ରୀଷ୍ଟଚର୍ଚ୍ଚ, ୫।୧(ଏପି)-
କେନ୍ ଓ୍ବିଲିୟମସନ୍ଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଓ୍ବିଲିୟମସନ ଓ ହେନରି ନିକୋଲ୍ସ ଅସମାପ୍ତ ୪ର୍ଥ ଉଇକେଟରେ ୨୧୫ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡକୁ ଅଗ୍ରଣୀ ପଥରେ ଅଗ୍ରସର କରାଇଛନ୍ତି। ପାକିସ୍ତାନ ପ୍ରଥମ ଇନିଂସରେ ୨୯୭ ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ସୋମବାର ଦ୍ୱିତୀୟ ଦିବସ ଶେଷସୁଦ୍ଧା ୩ ଉଇକେଟ ହରାଇ ୨୮୬ ରନ ସଂଗ୍ରହ କରିଛି। ଫଳରେ ହାତରେ ୭ ଉଇକେଟ ସୁରକ୍ଷିତ ଥିବାବେଳେ ଘରୋଇ ଦଳ ମାତ୍ର ୧୧ ରନ ପଛରେ ରହିଛି।
କ୍ରମାଗତ ୩ ଟେଷ୍ଟରେ ଚମତ୍କାର ଫର୍ମରେ ଥିବା ଓ୍ବିଲିୟମସନ କ୍ରମାଗତ ୩ ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨୫୧ ରନ କରିବାପରେ ଏହି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୯ ରନ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡ ଓପନିଂ ଯୋଡ଼ିରେ ୫୨ ରନ ସଂଗ୍ରହ କରିବାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୯ ରନ ବ୍ୟବଧାନରେ ଦଳ ୩ଟି ଉଇକେଟ ହରାଇବାରୁ ଦଳୀୟ ସ୍କୋର ଏକଦା ୭୧/୩ ହୋଇ ଯାଇଥିଲା। ଟମ୍ ବ୍ଲୁଣ୍ଡେଲ ୧୬, ଟମ୍ ଲାଥାମ ୩୩ ଓ ରସ୍ ଟେଲର ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଓ୍ବିଲିୟମସନ ଓ ନିକୋଲ୍ସଙ୍କ ଦ୍ୱିଶତକୀୟ ଭାଗୀଦାରି ପାକିସ୍ତାନ ଆଶାରେ ପାଣି ଭରି ଦେଇଛି। ୧୭୫ଟି ବଲ୍ର ସମ୍ମୁଖୀନ ହୋଇଥିବା ଓ୍ବିଲିୟମସନ ୧୬ ଚୌକା ସହାୟତାରେ ୧୧୨ ଏବଂ ୧୮୬ଟି ବଲ୍ ଖେଳି ନିକୋଲ୍ସ ୮୯ ରନରେ ଅପରାଜିତ ରହିଛନ୍ତି। ପୂର୍ବରୁ ନିକୋଲ୍ସ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୪ ଏବଂ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୫୬ ରନ କରି ନିଜ ଫର୍ମର ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ୍ବିଲିୟମସନ ଓ ନିକୋଲ୍ସ ସତର୍କତାର ସହ ଧିମା ବ୍ୟାଟିଂ କରିଥିଲେ। ଫଳରେ ଏକଦା ରନହାର ୨.୬ରେ ପହଞ୍ଚତ୍ ଯାଇଥିଲା। ମାତ୍ର ଚା’ ବିରତି ପରେ ଓ୍ବିଲିୟମସନ କେତେକ ଦର୍ଶନୀୟ ବାଉଣ୍ଡାରୀ ମାରିବାରୁ ରନ ହାରରେ ଉନ୍ନତି ଘଟିଥିଲା। ସେ ୭୮ ରନ କରିଥିବାବେଳେ ନସିମ ଶାହାଙ୍କ ଓଭରରେ କ୍ରମାଗତ ୪ ଚୌକା ମାରି ୯୪ ଏବଂ ଏକ ସିଙ୍ଗଲ ନେଇ ୯୫ରେ ପହଞ୍ଚତ୍ଥିଲେ। ଏହାପରେ ଫହିମ ଅଶ୍ରଫଙ୍କ ଓଭରରେ ୨ଟି ଚୌକାମାରି ସେ ଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ଏହାଥିଲା ତାଙ୍କର ୨୪ତମ ଶତକ। ପାକ୍ ବୋଲରଙ୍କ ମଧ୍ୟରେ ଶାହିଦ ଆଫ୍ରିଦୀ, ମହମ୍ମଦ ଆବାସ ଓ ଫହିମ ଅଶ୍ରଫ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୨୯୭।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ:୨୮୬/୩(ଓ୍ବିଲିୟମସନ-୧୧୨*, ନିକୋଲ୍ସ-୮୯*, ଲାଥାମ-୩୩, ଶାହିନ-୧/୪୫, ଆବାସ-୧/୩୭, ଅଶ୍ରଫ-୧/୫୫)।