ନୂଆଦିଲ୍ଲୀ,୩।୨: କଂଗ୍ରେସ ଦଳ ସବୁଠି ଭିତିରି କଳହର ସମ୍ମୁଖୀନ ହେଉଛି। ସମଗ୍ର ଦେଶରେ କେବଳ ତିନୋଟି ରାଜ୍ୟରେ ଦଳର ସରକାର ଅଛି। କିନ୍ତୁ, ଏହି ତିନୋଟି ରାଜ୍ୟରେ ଦଳ ଗୁରୁତର ଭିତିରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛି। କର୍ନାଟକରେ ମୁଖ୍ୟମନ୍ତ୍ରୀ ଚୌକି ପାଇଁ ଲଢ଼େଇ ସର୍ବପରିଚିତ। ସେଠାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ବିବାଦ ଯୋଗୁଁ ଦଳ ଲଜ୍ଜାର ସମ୍ମୁଖୀନ ହେଉଛି। ତେଲଙ୍ଗାନାକୁ ନେଇ ଦଳ ଚିନ୍ତାରେ ପଡିଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ରେୱନ୍ତ ରେଡ୍ଡୀ ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଉପରେ କ୍ଷୁବ୍ଧ ବିଧାୟକମାନେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହା ସହିତ ତେ୍ଲଙ୍ଗାନା କଂଗ୍ରେସ ଦ୍ୱାରା କରାଯାଇଥିବା ଏକ ସର୍ଭେରେ କଂଗ୍ରେସ ଭିତରେ ଥିବା ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ମଧ୍ୟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ବିଧାୟକ ଅନିରୁଦ୍ଧ ରେଡ୍ଡୀଙ୍କ ନେତୃତ୍ୱରେ ୧୦ ଜଣ କଂଗ୍ରେସ ବିଧାୟକ ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ପାଇଁ ରାତ୍ରୀଭୋଜନ ସମୟରେ ଏକ ବୈଠକ କରିଥିଲେ। ଅଧିକାଂଶ ଅସନ୍ତୁଷ୍ଟ ବିଧାୟକ ମୁଖ୍ୟମନ୍ତ୍ରୀ ରଓ୍ବେନ୍ତ ରେଡ୍ଡୀଙ୍କ ଜିଲା ମହବୁବନଗରର, ତେଣୁ ମୁଖ୍ୟମନ୍ତ୍ରୀ ରେଡ୍ଡୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ରଓ୍ବେନ୍ତ ରେଡ୍ଡୀ ଏହି ମାମଲାର ସମାଧାନ ପାଇଁ ଖୁବ ଶୀଘ୍ର ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ ଭେଟିବାକୁ ଯାଉଛନ୍ତି। ବିଧାୟକମାନେ ମୁଖ୍ୟତଃ ପି ଶ୍ରୀନିବାସ ରେଡ୍ଡୀଙ୍କ ଉପରେ କ୍ଷୁବ୍ଧ। ବିଧାୟକମାନେ ଦୁଃଖ ପ୍ରକାଶ କରିଛନ୍ତି ଯେ ସେମାନଙ୍କର ଏବଂ ସେମାନଙ୍କ ସମର୍ଥକଙ୍କ ଜମି ନିୟମିତ ହେଉନାହିଁ ଏବଂ ମନ୍ତ୍ରୀ ଏଥିପାଇଁ ୪୦ ପ୍ରତିଶତ କମିଶନ ମାଗୁଛନ୍ତି।