ନୂଆପଡ଼ା,୫ା୧୧ (ପୀତାମ୍ବର ସାହୁ): ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମୈଦାନ କମ୍ପୁଛି। ତିନି ପ୍ରମୁଖ ଦଳ ଭାଜପା, ବିଜେଡି ଓ କଂଗ୍ରେସ ଦଳର ପ୍ରାର୍ଥୀ ସମେତ ଅନ୍ୟ ପ୍ରାର୍ଥୀମାନେ ନିଜ ଢଙ୍ଗରେ ପ୍ରଚାର କରୁଛନ୍ତି। ଏହି କ୍ରମରେ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ। ନିର୍ବାଚନମଣ୍ଡଳୀର କୋମନା ବ୍ଲକ ତରବୋଡଠାରେ ଏକ ସାଧାରଣ ସଭାରେ ଯୋଗଦେଇ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ଏହି ସଭାରେ ସେ ଭାଜପା ଉପରେ ବର୍ଷିଥିଲେ। ପ୍ରଥମଥର ପାଇଁ ସେ ଭାଜପା ଉପରେ ଏଭଳି ବର୍ଷିଥିବା ଆଲୋଚନା ହେଉଛି। ଉକ୍ତ ସଭାରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହୋଇଥିବା କୁହାଯାଉଛି। ତେବେ ନବୀନଙ୍କ ପ୍ରଚାର ପରେ ବିଜେଡି ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି। ବିଜେଡିର ଜଣେ ଯୁବ ନେତାଙ୍କ କହିବା କଥା ହେଲା ନବୀନଙ୍କ ପ୍ରଚାର ପରେ ଦଳର ସ୍ଥିତି ଏବେ ପୂର୍ବ ଅପେକ୍ଷା ଅଧିକ ସଦୃଢ଼ ହୋଇଛି। ଦଳର ବରିଷ୍ଠ ସଦସ୍ୟ ତଥା ରେଢାଖୋଲ ବିଧାୟକ ପ୍ରଶନ୍ନ ଆଚାର୍ଯ୍ୟ କହିଛନ୍ତି, ନୂଆପଡ଼ାରେ ପୁଣି ଶଙ୍ଖ ବାଜିବ। ଆମେ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହେବୁ ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ପ୍ରକାଶ କରିଛନ୍ତି। ସେହିପରି ପୂର୍ବତନ ମନ୍ତ୍ରୀ ତଥା କନ୍ଧମାଳ ଜିଲା ବିଜେଡି ସଭାପତି ପଦ୍ମନାଭ ବେହେରା ମଧ୍ୟ ନବୀନଙ୍କ ପ୍ରଚାର ପରେ ଦଳର ସ୍ଥିତି ଆହୁରି ମଜଭୁତ ହୋଇଛି ବୋଲି କହିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ନୂଆପଡ଼ା ପାଇଁ ଅନେକ କାମ କରିଛନ୍ତି। ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ନୂଆପଡ଼ାକୁ ଜିଲା କରିଥିଲେ। ଏଠାରେ ଯାହା ସବୁ ଉନ୍ନତି ହୋଇଛି ତାହା ବିଜେଡି ସମୟରେ ହୋଇଛି। ବିଜେଡିର ସ୍ନେହାଙ୍ଗିନୀଙ୍କୁ ବିଜୟୀ କରିବେ ବୋଲି ଲୋକେ ମନସ୍ଥ କରିସାରିଥିବା ସେ ପ୍ରକାଶ କରିଛନ୍ତି। ନବୀନଙ୍କ ପ୍ରଚାର ପରେ ଯୁବ ବିଜେଡି ନେତାମାନେ ବେଶ ସକ୍ରିୟ ହୋଇପଡିଥିବା ଦେଖିବାକୁ ମିଳିଛି। ବିଜେଡିର ବିଜୟ ନିଶ୍ଚିତ ବୋଲି ସେମାନେ କହିବୁଲୁଛନ୍ତି। ମାତ୍ର ବିରୋଧୀ ଭାଜପା ଓ କଂଗ୍ରେସ ନବୀନଙ୍କ ପ୍ରଚାର କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହୁଛନ୍ତି।