ନୂଆଦିଲ୍ଲୀ,୧୩।୮: ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି। କୋର୍ଟ ୮ସପ୍ତାହ ମଧ୍ୟରେ ସହରର ସମସ୍ତ ବୁଲା କୁକୁରମାନଙ୍କୁ ଧରି ଆଶ୍ରୟସ୍ଥଳରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କୁକୁର ପ୍ରେମୀମାନେ କ୍ଷୁବ୍ଧ। କୁକୁର ପ୍ରେମୀ ବା Dog ଲଭରମାନେ କହିଛନ୍ତି ଯେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ। ଏହି ସମୟରେ, ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (ସିଜେଆଇ) ବିଆର ଗଭାଇ ବୁଧବାର କହିଛନ୍ତି ଯେ ସେ ଏହି ମାମଲାକୁ ତୁରନ୍ତ ଉଲ୍ଲେଖ କରିବା ଉପରେ ବିଚାର କରିବେ।
ସୂଚନାଯୋଗ୍ୟ, ଜଣେ ବରିଷ୍ଠ ଓକିଲ ସିଜେଆଇ ଗଭାଇଙ୍କ ସମ୍ମୁଖରେ ଏହି ମାମଲା ଉଠାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ଆପତ୍ତି ଉଠାଇଥିଲେ। ଓକିଲ ଏହି ପ୍ରସଙ୍ଗରେ କୋର୍ଟର ଏକ ପୁରୁଣା ନିଷ୍ପତ୍ତି ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବ ନିର୍ଦ୍ଦେଶରେ, ବିନା କାରଣରେ କୁକୁରମାନଙ୍କୁ ହତ୍ୟା କରିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ଏବଂ ସମସ୍ତ ଜୀବଜନ୍ତୁଙ୍କ ପ୍ରତି କରୁଣା ପ୍ରଦର୍ଶନ କରିବାକୁ କୁହାଯାଇଥିଲା। ଏହା ଉପରେ ସିଜେଆଇ ଗଭାଇ କହିଥିଲେ, ‘କିନ୍ତୁ ଅନ୍ୟ ଖଣ୍ଡପୀଠ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି। ମୁଁ ଏହା ଉପରେ ବିଚାର କରିବି।’
ପ୍ରକୃତରେ ଜଷ୍ଟିସ ଜେ.ବି. ପାରଡିୱାଲା ଏବଂ ଜଷ୍ଟିସ ଆର. ମହାଦେବନଙ୍କ ସୁପ୍ରିମକୋର୍ଟ ଖଣ୍ଡପୀଠ ଦିଲ୍ଲୀ-ଏନସିଆରରେ କୁକୁର କାମୁଡ଼ା ଯୋଗୁ ହେଉଥିବା ରାବିଜ ମାମଲା, ବିଶେଷକରି ଶିଶୁଙ୍କ ମୃତ୍ୟୁକୁ ଅତ୍ୟନ୍ତ ଗମ୍ଭୀର ବୋଲି କହିଥିଲେ ଏବଂ ସମସ୍ତ ବୁଲା କୁକୁରଙ୍କୁ ଯଥାଶୀଘ୍ର ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରାଥମିକ ପର୍ଯ୍ୟାୟରେ ୬-୮ ସପ୍ତାହ ମଧ୍ୟରେ ୫,୦୦୦ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କୁକୁର ପ୍ରେମୀଙ୍କୁ ମଧ୍ୟ ଚେତାବନୀ ଦେଇଥିଲେ ଯେ ବାଧା ସୃଷ୍ଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ, ଏପରିକି ଅବମାନନା ମାମଲା ମଧ୍ୟ ଆରମ୍ଭ କରାଯାଇପାରିବ।