“ପ୍ରଥମେ ଗୁଳି, ପରେ ପ୍ରଶ୍ନ”; ଆମେରିକାକୁ ଡେନମାର୍କର କଡ଼ା ଚେତାବନୀ

କୋପେନହେଗେନ୍,୯।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଗ୍ରୀନଲାଣ୍ଡ ଅଧିଗ୍ରହଣ ଉଦ୍ୟମକୁ ନେଇ ଆର୍କଟିକ ଅଞ୍ଚଳରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଯଦି ଆମେରିକା ଡେନମାର୍କ ଅଧୀନରେ ଥିବା ଏହି ଦ୍ୱୀପକୁ ଆକ୍ରମଣ କରେ, ତେବେ ଡେନମାର୍କ ସୈନିକମାନେ “ପ୍ରଥମେ ଗୁଳି ଚଳାଇବେ, ପରେ ପ୍ରଶ୍ନ ପଚାରିବେ” ବୋଲି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ଚେତାବନୀ ଦେଇଛି।

ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ସେନାର ୧୯୫୨ ମସିହାରେ ପ୍ରସ୍ତୁତ ରୁଲ୍ ଅଫ୍ ଏନ୍‌ଗେଜମେଣ୍ଟ (ଯୁଦ୍ଧ ନିୟମ) ବଳବତ୍ତର ରହିଛି। ଏହି ନିୟମ ଅନୁଯାୟୀ, ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅପେକ୍ଷା ନ କରି ସୈନିକମାନେ ଆକ୍ରମଣକାରୀଙ୍କ ଉପରେ ଆକ୍ରମଣ କରିବାକୁ ବାଧ୍ୟ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡକୁ ‘ଜାତୀୟ ସୁରକ୍ଷା ପ୍ରାଥମିକତା’ ଭାବେ ବର୍ଣ୍ଣନା କରି ଏହାକୁ ଦଖଲ କରିବା ପାଇଁ “ସାମରିକ ବଳ ପ୍ରୟୋଗ” ସମେତ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଥିବା ହ୍ୱାଇଟ ହାଉସ ପ୍ରେସ ସେକ୍ରେଟେରୀ କାରୋଲିନ ଲେଭିଟ୍ କହିଛନ୍ତି।

ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡ୍ରିକସେନ୍ ପୂର୍ବରୁ ଚେତାବନୀ ଦେଇ କହିଥିଲେ ଯେ ଯଦି ଆମେରିକା ଗ୍ରୀନଲାଣ୍ଡ ଉପରେ ଆକ୍ରମଣ କରେ, ତେବେ ଏହା ନାଟୋ ମେଣ୍ଟର ସମାପ୍ତି ଘଟାଇବ। ୟୁରୋପୀୟ ନେତାମାନେ ମଧ୍ୟ ଏକ ମିଳିତ ବିବୃତ୍ତିରେ ଗ୍ରୀନଲାଣ୍ଡର ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବାକୁ ଟ୍ରମ୍ପଙ୍କୁ କହିଛନ୍ତି।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆସନ୍ତା ସପ୍ତାହରେ ଡେନମାର୍କ ଓ ଗ୍ରୀନଲାଣ୍ଡ ଅଧିକାରୀଙ୍କୁ ଭେଟିବାକୁ ଯୋଜନା କରିଛନ୍ତି ଏବଂ ଟ୍ରମ୍ପ ଦ୍ୱୀପଟିକୁ କେବଳ କିଣିବାକୁ ଚାହୁଁଛନ୍ତି, ସାମରିକ ବଳ ପ୍ରୟୋଗ କରିବାକୁ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି। ଡେନମାର୍କ ଏହି ବୈଠକକୁ ସ୍ୱାଗତ କରିଛି, କିନ୍ତୁ “ଗ୍ରୀନଲାଣ୍ଡ ବିକ୍ରି ପାଇଁ ନୁହେଁ” ବୋଲି ବାରମ୍ବାର ଦୋହରାଇଛି।