ଢାକା,୧।୬: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ICT)ର ପ୍ରସିକ୍ୟୁସନ ଜୁଲାଇ ମାସରେ ହୋଇଥିବା ଗଣ ବିଦ୍ରୋହକୁ ଦମନ କରିବା ପାଇଁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ମାନବତା ବିରୋଧୀ ଅପରାଧ କରିଥିବାର ଆନୁଷ୍ଠାନିକ ଭାବରେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛି। ପ୍ରସିକ୍ୟୁସନ ରବିବାର ଚାର୍ଜସିଟ ଦାଖଲ କରିଛି। ଯଦି ଏହି ଅଭିଯୋଗଗୁଡ଼ିକ ପ୍ରମାଣିତ ହୁଏ, ତେବେ ଶେଖ ହାସିନାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ।
ଚାର୍ଜସିଟ୍ରେ ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ୍ କମଲ ଏବଂ ପୂର୍ବତନ ଆଇଜିପି ଚୌଧୁରୀ ମାମୁନଙ୍କୁ ମଧ୍ୟ ଶେଖ ହାସିନାଙ୍କ ସହିତ ସହ-ଅଭିଯୁକ୍ତ କରାଯାଇଛି। ଏହି ମାମଲାକୁ ବାଂଲାଦେଶ ଟେଲିଭିଜନରେ ସିଧା ପ୍ରସାରଣ କରାଯାଇଥିଲା, ଯାହା ଦ୍ୱାରା ମାମଲାର ସ୍ବଚ୍ଛତା ବଜାୟ ରହିପାରିବ।
ଶେଖ ହାସିନାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗରେ, ଜୁଲାଇ ଏବଂ ଅଗଷ୍ଟରେ ଦେଶବ୍ୟାପୀ ଘଟିଥିବା ହିଂସା ଏବଂ ତା’ପରେ ପୋଲିସ ଚଢାଉକୁ ଗଣ ହତ୍ୟାର ମୁଖ୍ୟ ପ୍ରରୋଚନାକାରୀ ଭାବରେ ବର୍ଣ୍ଣନା କରାଯାଇଛି। ପୂର୍ବରୁ ମେ ୧୨ ତାରିଖରେ ତଦନ୍ତକାରୀମାନେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ ଯେଉଁଥିରେ ହସିନା ହତ୍ୟାକାଣ୍ଡର ନିର୍ଦ୍ଦେଶ ଦେଇଥିଲେ ବୋଲି କୁହାଯାଇଥିଲା।
ତେବେ ଯେଉଁ ଟ୍ରିବ୍ୟୁନାଲ ଅଧୀନରେ ଶେଖ ହାସିନାଙ୍କୁ ଅଭିଯୁକ୍ତ କରାଯାଇଛି ତାହା ପାକିସ୍ତାନରୁ ମୁକ୍ତ ହେବା ପରେ ପାକିସ୍ତାନୀ ଯବାନଙ୍କ ବିରୁଦ୍ଧରେ ମାମଲା ଚଳାଇବା ପାଇଁ ଗଠିତ ହୋଇଥିଲା। ଏହି ଟ୍ରିବ୍ୟୁନାଲ ଅଧୀନରେ ଅନେକ ଜମାତ ଏବଂ ବିଏନ୍ପି ନେତାଙ୍କ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ ହୋଇଥିଲା ଏବଂ ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇଥିଲା।
ଶାସନ କ୍ଷମତାରେ ପରିବର୍ତ୍ତନ ପରଠାରୁ ଶେଖ ହସିନା ଭାରତରେ ରହୁଛନ୍ତି। ନିଜ ଦେଶରେ ବିରୋଧ ପ୍ରଦର୍ଶନ ପରେ ସେ ଭାରତ ପଳାଇ ଆସିଥିଲେ। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହସିନାଙ୍କ ପ୍ରତ୍ୟାବର୍ତ୍ତନ ଦାବି କରୁଛି। କିନ୍ତୁ ଭାରତ ଏପରି କୌଣସି ଦାବିର ପ୍ରତି କୌଣସି ପ୍ରତିକ୍ରିୟା ଦେଇନାହିଁ। ଶେଖ ହସିନାଙ୍କ ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କ ଦୃଢ଼ ଥିଲା, କିନ୍ତୁ ଏବେ ଉଭୟ ଦେଶ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ବାଂଲାଦେଶର ନୂତନ ୟୁନୁସ ସରକାର ଚାଇନା ଏବଂ ପାକିସ୍ତାନ ଆଡକୁ ଢ଼ଳୁଥିବା ବେଳେ ଭାରତ ବାଂଲାଦେଶ ସହିତ ସମ୍ପର୍କ ବଜାୟ ରଖିବାକୁ ଚେଷ୍ଟା କରୁଛି।