ଇସଲାମାବାଦ,୯।୫: ପୁଣି ଦୁଇ ଭାଗ ହେବ ପାକିସ୍ତାନ। ୧୯୭୧ରେ ଭାରତ ସହ ଯୁଦ୍ଧ ସମୟରେ ବାଲାଂଦେଶ ସୃଷ୍ଟି ହୋଇଥିଲା। ଏବେ ବେଲୁଚିସ୍ତାନ ନୂଆ ଦେଶ ଭାବେ ପାକିସ୍ତାନଠାରୁ ଅଲଗା ହେବାର ସମ୍ଭାବନା ବଢ଼ିବାରେ ଲାଗିଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଗୋଟିଏ ପଟେ ପାକିସ୍ତାନ ଭାରତର ନାଗରିକ ଏବଂ ସାମରିକ ସ୍ଥାନ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିବାରେ ବ୍ୟସ୍ତ ଥିବା ବେଳେ ବାଲୁଚ୍ ବିଦ୍ରୋହୀମାନେ ନିଜ ଦେଶର ସେନା ବିରୋଧରେ ଆକ୍ରମଣକୁ ତୀବ୍ର କରିଛନ୍ତି। ଅତି କମ୍ରେ ୩ ବାଲୁଚ୍ ବିଦ୍ରୋହୀ ଗୋଷ୍ଠୀ ବେଲୁଚିସ୍ତାନର ପଶ୍ଚିମ ଭାଗର କିଛି ଅଂଶକୁ ଦଖଲ କରିଛନ୍ତି। ଏପରିକି ବେଲୁଚିସ୍ତାନର ସ୍ବାଧୀନତା ପାଇଁ ଆହ୍ବାନ ଜୋରଦାର ହୋଇଛି। ପାକିସ୍ତାନର ପତାକା ଚିରିବା ପରେ ବାଲୁଚ୍ ବିଦ୍ରୋହୀମାନେ ସେମାନଙ୍କ ପତାକା ଉତ୍ତୋଳନ କରୁଥିବାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଗତ ସପ୍ତାହରେ ବେଲୁଚିସ୍ତାନରେ ପାକିସ୍ତାନୀ ସେନା ଉପରେ ଆକ୍ରମଣ ବୃଦ୍ଧି ପାଇଛି। ଶୁକ୍ରବାର କ୍ୱେଟାର ଫୈଜାବାଦ ଅଞ୍ଚଳରେ ବେଲୁଚ୍ ବିଦ୍ରୋହୀମାନେ ପାକିସ୍ତାନୀ ସେନା ଉପରେ ଆକ୍ରମଣ କରିଥିଲେ। ଏକ ପୃଥକ୍ ଆକ୍ରମଣରେ ସିବ୍ବିର ଏକ ସାମରିକ ଶିବିରରେ ହ୍ୟାଣ୍ଡ ଗ୍ରେନେଡ୍ ଆକ୍ରମଣରେ ଇସଲାମାବାଦର ସୁରକ୍ଷା ବାହିନୀକୁ ଟାର୍ଗେଟ କରାଯାଇଥିବା ଏକ ରିପୋର୍ଟ ଆସିଛି।
କେବଳ ଏତିକି ନୁହେଁ ଗୁରୁବାର କ୍ୱେଟାର ପ୍ରାଦେଶିକ ରାଜଧାନୀରେ ‘ଅଜ୍ଞାତ ସଶସ୍ତ୍ର ଆକ୍ରମଣକାରୀ’ଙ୍କ ଦ୍ୱାରା ପାକିସ୍ତାନ ସୁରକ୍ଷା ବାହିନୀ ଉପରେ ଚାରିଥର ଆକ୍ରମଣ କରାଯାଇଥିଲା। ଏହାକୁ ନେଇ ବେଲୁଚିସ୍ତାନ ଲେଖକ ମୀର ୟାର ବାଲୁଚ୍ ‘ଏକ୍ସ’ରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ବିଶ୍ୱରୁ ପାକିସ୍ତାନଠାରୁ ସେମାନଙ୍କ କୁଟନୈତିକ ମିଶନକୁ ଫେରାଇ ନେବା ଏବଂ ସେଗୁଡ଼ିକୁ ନୂତନ ଉଦୀୟମାନ ଦେଶ ବେଲୁଚିସ୍ତାନକୁ ସ୍ଥାନାନ୍ତର କରିବାର ସମୟ ଆସିଛି। ପାକିସ୍ତାନକୁ ବିଦାୟ, ବେଲୁଚିସ୍ତାନକୁ ସ୍ବାଗତ’ ବୋଲି ସେ ଲେଖିଛନ୍ତି।
କହିବାକୁ ଗଲେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାର ଫାଇଦା ଉଠାଇବାକୁ ବେଲୁଚିସ୍ତାନ ଚେଷ୍ଟା କରୁଥିବା କୁହାଯାଉଛି। ସଠିକ ସୁଯୋଗର ଦେଖି ବେଲୁଚ୍ ଗୋଷ୍ଠୀ ୟୁଏନ୍ର ଦ୍ୱାରସ୍ଥ ହୋଇ ଭିନ୍ନ ଦେଶର ଦାବି ଉଠାଇଛନ୍ତି। ଏଥିସହ ପାକିସ୍ତାନଠାରୁ ସମ୍ପୂର୍ଣ୍ଣ ଅଲଗା ହେବା ନେଇ ନିଷ୍ପତ୍ତି ନିଆଯାଇଛି।