ଭାଜପାରେ ଯୋଗଦେବେ କି କଂଗେସ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର: RSS ଗୀତ ଗାଇବା ପରେ ଦେଲେ ସଫେଇ

ବେଙ୍ଗାଲୁରୁ,୨୨।୮: କର୍ନାଟକ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ସମ୍ପ୍ରତି ବିଧାନସଭାରେ ଏପରି କିଛି କରିଛନ୍ତି,ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଡିକେ ଶିବକୁମାର ବିଧାନସଭାରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ଗୀତ ଗାଇଥିଲେ। ସେ ଆରଏସଏସ ଗୀତ ଗାଇବା ପରେ, ଭାଜପା କଂଗ୍ରେସକୁ ଟାର୍ଗେଟ କରିବା ଆରମ୍ଭ କରିଛି। ଶିବକୁମାର ଭାଜପାରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି।

ଏହି ମାମଲା ଜୋର ଧରିବା ପରେ ଡିକେ ଶିବକୁମାର ସଫେଇ ଦେଇଛନ୍ତି। ସେ କହିଛନ୍ତି, ସେ ଜନ୍ମରୁ ଜଣେ କଂଗ୍ରେସୀ ଏବଂ ଜୀବନସାରା କଂଗ୍ରେସୀ ରହିବେ। ଭାଜପା ସହିତ ହାତ ମିଳାଇବାର ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ।

ଉପମୁଖ୍ୟମନ୍ତ୍ରୀଙ୍କ ଆରଏସଏସ ଗୀତ ଗାଇବାର ଭିଡିଓ ଭାଇରାଲ ହେଉଛି। ଚିନ୍ନାସ୍ବାମୀ ଷ୍ଟାଡିୟମରେ ଦଳାଚକଟା ଆଲୋଚନା ହେଉଥିବା ସମୟରେ ଶିବକୁମାର ଏହି ଗୀତ ଗାଇଥିଲେ। ତାଙ୍କ ରାଜନୈତିକ ଯାତ୍ରା ବିଷୟରେ କହିବା ସମୟରେ, ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କୁ ବିରୋଧୀ ଦଳ ନେତା ଆର. ଅଶୋକ ଆରଏସଏସ ସହିତ ତାଙ୍କର ପ୍ରାରମ୍ଭିକ ସମ୍ପର୍କ ବିଷୟରେ ମନେ ପକାଇ ଦେଇଥିଲେ। ଜବାବରେ, ଉପମୁଖ୍ୟମନ୍ତ୍ରୀ ଆରଏସଏସ ଗୀତ ନମସ୍ତେ ସଦା ଭାତସଲେ ଗାଇବା ଆରମ୍ଭ କରିଥିଲେ, ଯାହା ବିଧାନସଭାରେ ଏକ ବିତର୍କ ସୃଷ୍ଟି କରିଥିଲା।