ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର: ୨ ଗିରଫ

ଦେବଗଡ,୧୬।୧୧(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ କପାଗୋଳା ଗ୍ରାମ ନିକଟସ୍ଥ ଜଙ୍ଗଲରେ ବିଦ୍ୟୁତ୍‌ ଫାଶ ପକାଇ ବନ୍ୟଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ବନ ବିଭାଗ ଦ୍ୱାରା ୨ ଶିକାରୀ ଗିରଫ ହୋଇଛନ୍ତି ।
ସୂଚନା ଅନୁଯାୟୀ,  କପାଗୋଳା ଗ୍ରାମ ନିକଟସ୍ଥ କୁଣ୍ଢେଇଗୋଳା ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ଜିଆଇ ତାରରେ ବିଦୁତ୍‌ ସଂଯୋଗ କରି ଫାଶ ପକାଯାଇଥିଲା । ଉକ୍ତ ରାତିରେ ବନବିଭାଗ କର୍ମଚାରୀମାନେ ରାତ୍ରିକାଳିନ ପାଟ୍ରୋଲିଂ କରୁରୁଥିବା ବେଳେ ଏହା ସେମାନଙ୍କ ନଜରକୁ ଆସିଥିଲା । ଫଳରେ ସେମାନେ ଯାଞ୍ଚ ସହ ବେଆଇନ ବିଦ୍ୟୁତ୍‌ ଫାଶକୁ ଠାବ କରି ଏଥିରେ ବ୍ୟବହୃତ ତାର ଓ ବାଉଁଶ କାଠି ଜବତ କରିଥିଲେ । ଏଥିସହ ଏଘଟଣାରେ ସମ୍ପୃକ୍ତ ଶିକାରୀ କପାଗୋଳା ଗ୍ରାମର ସୁରେଶ ନାୟକ (୩୫) ଓ ଦେବାର୍ଚ୍ଚନ ପ୍ରଧାନ (୬୦)ଙ୍କୁ କାବୁକରି ରିଆମାଳ ବନାଞ୍ଚଳ କାର୍ଯ୍ୟାଳୟକୁ ନେଇଥିଲେ। ସେଠାରେ  ପଚରାଉଚୁରା ବେଳେ ବନ୍ୟଜନ୍ତୁ ଶୀକାର ପାଇଁ ସେମାନେ ବିଦ୍ୟୁତ୍‌ ଫାଶ ପକାଇଥିବା ସ୍ବୀକାର କରିବାରୁ ବନବିଭାଗ ଉଭୟଙ୍କୁ ଗିରଫ କରି  କୋର୍ଟଚାଲାଣ କରିଥିବା ଜଣାପଡିଛି ।

 

Dharitri – Odisha’s No.1 Odia Daily