କେନ୍ଦୁଝର,୨।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ତେଲକୋଇ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିବାବେଳେ ଗତକାଲି ରାତିରେ ଏକ ବଣୁଆ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଅନ୍ୟ ଜଣେ ଗୁରୁତର ଆହତ ହୋଇ ତେଲକୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି।
ମୃତକଙ୍କ ନାମ ଚକ୍ରଧର ମହାରଣା(୨୧), ଘର ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ରୁଗୁଡିହି ଗ୍ରାମରେ ବୋଲି ଜଣାପଡ଼ିଛି। ଆହତ ଜଣକ ହେଲେ ଉକ୍ତ ଗ୍ରାମର ବିଜୁ ମୁଣ୍ଡା (୨୧)। ଗତକାଲି ବିଳମ୍ବିତ ରାତିରେ ଚକ୍ରଧର ଅନ୍ୟ ମାନଙ୍କ ସହିତ ହାତୀ ଘଉଡାଉଥିବାବେଳେ ଏକ ଦନ୍ତା ହାତୀ ବୁଲି ପଡି ଆକ୍ରମଣ କରି ଗୋଡରେ ଦଳି ଦେଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ସକାଳେ ଉକ୍ତ ହାତୀଟି ଗ୍ରାମରେ ପଶି ନିଜ ଘର ଅଗଣାରେ ଥିବା ବିଜୁଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଆହତ ହେବାରୁ ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ବୋଲି ସୂଚନା ମିଳିଛି। ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଁଚି ହାତୀମାନଙ୍କୁ ଘଉଡାଇବାକୁ ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିଥିବାବେଳେ ସ୍ଥାନୀୟ ଲୋକଙ୍କୁ ସଚେତନ କରିଛନ୍ତି। ଉକ୍ତ ଅଞ୍ଚଳରେ ୩୯ ଟିକିଆ ହାତୀ ପଲ ଉପଦ୍ରବ ଚଳାଇ ବ୍ୟାପକ ଫସଲହାନୀ ସହ ଘର ଭାଙ୍ଗିଥିବା ଏବଂ ଲୋକଙ୍କୁ ମାରିଥିବାରୁ ଲୋକମାନେ ଭୟ ଓ ଆତଙ୍କିତ ରହିଛନ୍ତି।ତେଲକୋଇ ରେଞ୍ଜ ଅଧିକାରୀ ଅଶୋକ କୁମାର ମାଝୀ କହିଛନ୍ତି, ମୃତକଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଆହତଙ୍କୁ ଚିକିତ୍ସା କରାଯାଉଛି। ୩୯ ହାତୀ ବିଶିଷ୍ଟ ଦଳର ଗତିବିଧି ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯାଉଛି।