ଟାଙ୍ଗିଆରେ ସ୍ତ୍ରୀକୁ ହାଣି ହତ୍ୟା: ଅଭିଯୁକ୍ତ ଏବିଡ଼ିଓ ଫେରାର

ହାଟଡ଼ିହୀ,୨୫l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଡଅଁର ଗ୍ରାମରେ ଅକ୍ଟୋବର ୨ତାରିଖରେ ଏବିଡିଓ ସ୍ବାମୀ ଦେବୀ ପ୍ରସାଦ ଜେନା ସ୍ତ୍ରୀ ସୁଦେଷ୍ନା (୪୨)ଙ୍କ ବେକକୁ ଏକ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଉକ୍ତ ଘଟଣାରେ ଅଭିଯୁକ୍ତ ଦେବୀ ପ୍ରସାଦ ଫେରାର ଥିବା ବେଳେ ତାଙ୍କୁ ଆଜି ପର୍ଯ୍ୟନ୍ତ ପୋଲିସ ପାଉନାହିଁ। ପୋଲିସ ପଡ଼ୋଶୀ ଭଦ୍ରକ, ଯାଜପୁର, ବାଲେଶ୍ୱର ପ୍ରଭୃତି ଜିଲା ଏବଂ ଅନ୍ୟ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ ମଧ୍ୟ କୌଣସ ସୁରାଗ ପାଇପାରୁନାହିଁ।

ପ୍ରକାଶ ଯେ, ପାରିବାରିକ କଳହରୁ ଏବିଡିଓ ତାଙ୍କ ସ୍ତ୍ରୀଙ୍କୁ ହାଣି ହତ୍ୟା କରିଥିଲେ। ଘଟଣା ପରେ ସେ ଫେରାର ଥିବା ବେଳେ ପୁଅ ସତ୍ୟ ପ୍ରକାଶଙ୍କ ଅଭିଯୋଗ ଆଧାରରେ ନନ୍ଦିପଦା ପୋଲିସ ଏକ ହତ୍ୟା ମାମଲା (ନଂ. ୨୯୪/୨୦୨୫) ରୁଜୁ କରିଥିଲା।

ଅଭିଯୁକ୍ତ ଦେବୀ ପ୍ରସାଦ ଭଦ୍ରକ ଜିଲା ବନ୍ତ ବ୍ଲକ୍‌ରେ ଏବିଡିଓ ଭାବେ କାର୍ଯ୍ୟରତ ଅଛନ୍ତି। ବନ୍ତ ବ୍ଲକ ବିଡ଼ିଓ ସୀତାକାନ୍ତ ରାଉତ କହିଛନ୍ତି, ଏବିଡ଼ିଓ ଦେବୀ ପ୍ରସାଦଙ୍କ ନାମରେ ନିଜ ସ୍ତ୍ରୀକୁ ହତ୍ୟା ମାମଲା ରୁଜୁ ସମ୍ପର୍କିତ ସୂଚନା ନନ୍ଦିପଦା ପୋଲିସ ବ୍ଲକ୍‌କୁ ଆସି ଜଣାଇଛନ୍ତି।

କିନ୍ତୁ ଅଦ୍ୟାବଧି ଅଭିଯୁକ୍ତ ଏବିଡ଼ିଓ ବିନା ଛୁଟି ଦରଖାସ୍ତରେ ବ୍ଲକ୍‌ କାର୍ଯ୍ୟାଳୟରେ ଅନୁପସ୍ଥିତ ଅଛନ୍ତି। ଅନୁପସ୍ଥିତ ନେଇ ତାଙ୍କ ବିରୋଧରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କିତ ନିର୍ଦ୍ଦେଶ ଉପର ଅଧିକାରୀଙ୍କଠାରୁ ଆସିନାହିଁ। ଆନନ୍ଦପୁର ଡିଏସ୍‌ପି ପ୍ରଶାନ୍ତ ବେହେରା କହିଛନ୍ତି, ଅଭିଯୁକ୍ତ ଏବିଡ଼ିଓଙ୍କୁ ଧରିବା ପାଇଁ ଏକ ସ୍ପେଶାଲ ଟିମ୍‌ ଗଠନ ହୋଇ ନଜର ରଖାଯାଇଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ସହ ଅନୁସନ୍ଧାନ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଧରାପଡ଼ିବେ।