ବାରିପଦା, ୧୯ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଭୋଳାଗଡ଼ିଆ ଗ୍ରାମର ଜଣେ ମହିଳା ଏବେ ବେସାହାରା ହୋଇପଡ଼ିଛନ୍ତି। ସଡ଼କ ଦୁର୍ଘଟଣାରେ ତାଙ୍କ ଦୃଷ୍ଟିଶକ୍ତି ଚାଲିଯିବା ପରେ ସାତଜନ୍ମର ସାଥୀ ହୋଇ ଜୀବନ ବିତାଇବାକୁ ଶପଥ ନେଇଥିବା ସିଆର୍ପିଏଫ୍ ଯବାନ ଭାବେ କାର୍ଯ୍ୟ କରୁଥିବା ସ୍ବାମୀ ହାତ ଛାଡ଼ିଦେଇଛନ୍ତି। ଚିକିତ୍ସା ନିମନ୍ତେ ଔଷଧ କିମ୍ବା ଭରଣପୋଷଣ ପାଇଁ ସହଯୋଗ କରୁ ନ ଥିବାରୁ ଦିବ୍ୟାଙ୍ଗ ସାଜିଥିବା ମହିଳା ଜଣକ ଏବେ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି। ସେନା ଅଧିକାରୀଙ୍କଠାରୁ ଆରମ୍ଭକରି ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାପଘର ଲୋକେ ଝିଅକୁ ନ୍ୟାୟ ଦେବାପାଇଁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଉପଜିଲାପାଳ ନେତାନନ୍ଦ ମଲ୍ଲିକଙ୍କୁ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଭୋଳାଗଡ଼ିଆ ଗ୍ରାମର ଲକ୍ଷ୍ମଣ ମାରାଣ୍ଡିଙ୍କ ଝିଅ ସୀତାଙ୍କୁ ବଡ଼ହାଳିଆ ଗ୍ରାମର ଗୁମୁଦା ହଁାସଦା ୨୦୧୮ ନଭେମ୍ବର ୨୫ରେ ପ୍ରେମ ବିବାହ କରିଥିଲେ। ଗୁମୁଦା ଜଣେ ସିଆର୍ପିଏଫ୍ ଯବାନ ହୋଇଥିବା ବେଳେ ଏବେ ସେ ବିହାର ରେଜିମେଣ୍ଟ ୨୦୫ କୋବ୍ରା ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି। ତେବେ ବିବାହର କିଛି ବର୍ଷ ହସଖୁସିରେ କଟିବା ପରେ ୨୦୨୪ ସେପ୍ଟେମ୍ବର ୪ରେ ସ୍ତ୍ରୀ ଓ ସ୍ବାମୀ ଉଦଳାରୁ ଘରକୁ ଫେରୁଥିବା ବେଳେ ବାରିପଦା-ଉଦଳା ରାସ୍ତାର ନାହ୍ଲୁଆ ଛକ ନିକଟରେ ଅନ୍ୟ ଏକ ବାଇକ୍ ତାଙ୍କୁ ଧକ୍କାଦେଇଥିଲା। ଏଥିରେ ଉଭୟେ ଗୁରୁତର ହୋଇ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ। ଗୁମୁଦାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଇଥିବା ବେଳେ ସୀତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ବାମୀ ସୁସ୍ଥ ହୋଇ ଚାକିରିରେ ଯୋଗଦେଇଥିବା ବେଳେ ୨ମାସ ଧରି ଆଇସିୟୁରେ ରହିବା ପରେ ସୀତା ଶାଶୁଘରକୁ ଫେରିଥିଲେ। ମାତ୍ର ଦୁର୍ଘଟଣାରେ ଦୁଇଟି ଆଖି ସମ୍ପୂର୍ଣ୍ଣ ନଷ୍ଟହୋଇଥିବାରୁ ଶାଶୁଘର ଲୋକେ ସୀତାଙ୍କ ସେବାଯନତ୍ କରିବାକୁ ଅମଙ୍ଗ ହୋଇ ନଭେମ୍ବରରେ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ସେହିଦିନଠାରୁ ସୀତା ବାପଘରେ ରହି ଆସୁଛନ୍ତି। ଗୋଟିଏ ପଟେ ଆଖି ହରାଇଥିବା ଓ ଅନ୍ୟପଟେ ସ୍ବାମୀ ହାତ ଛାଡ଼ିଦେବାରୁ ସେ ଅସହାୟ ହୋଇପଡ଼ିଛନ୍ତି। ଇତିମଧ୍ୟରେ ଗୁମୁଦା ଦ୍ୱିତୀୟ ବିବାହ ପାଇଁ ସଜବାଜ ହେଉଥିବା ବେଳେ ସୀତା ଘଟଣା ସମ୍ପର୍କରେ ଖୁଣ୍ଟା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ଆର୍ଥିକ ସହାୟତା ପାଇଁ ସୀତା ସିଆର୍ପିଏଫ୍ ମୁଖ୍ୟାଳୟ ଦିଲ୍ଲୀ ଏବଂ ବିହାରରେ ନିବେଦନ କରିଛନ୍ତି। ଦିବ୍ୟାଙ୍ଗ ସୀତାଙ୍କୁ ନ୍ୟାୟ ପ୍ରଦାନ ସହ ସରକାରୀ ସୁବିଧା ଯୋଗାଇଦେବାକୁ ତାଙ୍କ ବାପଘର ଲୋକେ ଦାବି କରିଛନ୍ତି। ଅଭିଯୋଗ ସମ୍ପର୍କରେ ଗୁମୁଦାଙ୍କ ମତାମତ ଜାଣିବା ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ।