ସ୍ବାମୀଙ୍କୁ ଫେରାଇ ଆଣିବାକୁ ଜିଲାପାଳ, ଏସ୍‌ପିଙ୍କୁ ଗୁହାରି କଲେ ସ୍ତ୍ରୀ

ନିରାକାରପୁର,୨୩ା୧(ମାନସ ଚନ୍ଦ୍ର ପଟ୍ଟନାୟକ): ତିନିମାସ ବିତିଲା ହେଲେ ସ୍ବାମୀଙ୍କ ଫେରିବା ବାଟକୁ ଚାହିଁ ଚାହିଁ ସ୍ତ୍ରୀଙ୍କ ଆଖିରୁ ଲୁହ ଶୁଖୁନି। ହେଲେ ସ୍ବାମୀ ଅଦ୍ୟାବଧି ଘରକୁ ଫେରି ନାହାନ୍ତି। ତେଣୁ ନିରୁପାୟ ହୋଇ ସ୍ତ୍ରୀ ଖୋର୍ଦ୍ଧା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ସ୍ବାମୀଙ୍କୁ ଫେରାଇ ଆଣିବାରେ ସହଯୋଗ କରିବା ନେଇ ଗୁହାରି କରିଛନ୍ତି। ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ଡିଆ ପଞ୍ଚାୟତ ଡିଆ ଓଡ଼ିଆ ସାହିର ମହିଳା ରୁନୁ ମାର୍ଥା। ତାଙ୍କ ଅଭିଯୋଗ ଅନୁଯାୟୀ, ସେ ଗରିବ ଶ୍ରେଣୀର। ସ୍ଥାନୀୟ ଅଞ୍ଚଳରେ ତାଙ୍କ ସ୍ବାମୀ ରମେଶ ମାର୍ଥା ଜଣେ ଦିନ ମଜୁରିଆ ଭାବେ ଯାହା ରୋଜଗାର କରନ୍ତି ଦୁଃଖେ ସୁଖେ ଚଳି ଯାଉଥିଲେ। ହେଲେ ବେଳକୁ ବେଳ ଆର୍ଥିକ ଅବସ୍ଥା ଦେଖା ଦେବାରୁ ଅଧିକ ରୋଜଗାର ଆଶାରେ ସ୍ଥାନୀୟ କାଶୀପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ସହ ଗତ ୨୦୨୫ରେ ବେଙ୍ଗାଲୁରୁକୁ ଯାଇଥିଲେ। ହେଲେ ଦେହ ଅସୁସ୍ଥ ହେବାରୁ ସେ ଗତ ନଭେମ୍ବର ୨୦ରେ ଟ୍ରେନରେ ଫେରୁଥିବା ନେଇ ଘରକୁ ଖବର ଦେଇଥିଲେ। ହେଲେ ଅଦ୍ୟାବଧି ୩ ମାସ ବିତିଯାଇଥିଲେ ମଧ୍ୟ ଆଜି ଯାଏ ଫେରିନାହାନ୍ତି। ଅନେକ ଖୋଜାଖୋଜି ପରେ ତାଙ୍କର ସନ୍ଧାନ ନ ମିଳିବାରୁ ବାଧ୍ୟହୋଇ ଗୁରୁବାର ଖୋର୍ଦ୍ଧା ଜିଲାପାଳ ଓ ଏସ୍‌ପିଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ମାଧ୍ୟମରେ ଗୁହାରି କରିଥିବା ରୁନୁ ପ୍ରକାଶ କରିଛନ୍ତି।

Dharitri –Odisha’s No.1 Trusted Odia Daily