ଦେବଗଡ,୨୪।୬(ଶଶାଙ୍କ ଶେଖର ଝାଙ୍କର): ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମରେ ୨୦୨୩ ମସିହା ଜୁନ ମାସରେ ଘଟିଥିବା ବହୁ ଚର୍ଚ୍ଚିତ ପୂଜା ପ୍ରଧାନ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ଆବଶ୍ୟକ ତଥ୍ୟ ଏବଂ ପ୍ରମାଣ ଯୋଗାଡ କରିବା ପରେ ଘଟଣାର ଦୀର୍ଘ ୨ ବର୍ଷ ପରେ ପୋଲିସ ଏ ଘଟଣାରେ ପୂଜାଙ୍କ ବଡ ଯା’ ମମତା ମାଝୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ତେବେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଗୁରୁତ୍ୱପୂର୍ଣ୍ଣ ବିଷୟ ଏହା ଯେ, ଦିଅରକୁ ବିବାହ ଲକ୍ଷ୍ୟରେ ବିଧବା ମମତା ସାନ ଯା’ଙ୍କୁ ବିଷଦେଇ ହତ୍ୟା କରିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଖବର ମୁତାବକ, ଦେବଗଡ ଥାନା କପାସିରା(ଲକ୍ଷ୍ମୀପୁର) ଗ୍ରାମର ଝସକେତନ ପ୍ରଧାନ ଓ ଝରଣା ପ୍ରଧାନଙ୍କ ଝିଅ ୨୦୨୩ ମସିହା ମାର୍ଚ୍ଚ ୧୦ ତାରିଖରେ ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ ବରଘାଟ ଗ୍ରାମର ପ୍ରଫୁଲ୍ଲ ପ୍ରଧାନଙ୍କ ପୁଅ କାଳିନ୍ଦ୍ରୀ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବିବାହର କିଛିଦିନ ପରେ ପୂଜା ଅସୁସ୍ଥ ହୋଇ ପଡିବାରୁ ତାଙ୍କ ମା’ଝରଣା ୨୦୨୩ ମସିହା ଜୁନ ମାସ ୧୨ ତାରିଖ ଦିନ ଝିଅ (ପୂଜା)ଘରକୁ ଅସିଥିଲେ । ତେବେ ଉକ୍ତଦିନ ପୂଜାଙ୍କ ବଡ ଯା’ ମମତା ମାଝୀ (କାଳୀନ୍ଦ୍ରୀଙ୍କ ବଡଭାଇ ସୱର୍ଗତଃ ସୁଦନ ସାହୁଙ୍କ ବିଧବା ପତ୍ନି) ପୂଜାଙ୍କୁ ଗ୍ଲୁକୋଜ ଦେବା ବାହାନାରେ କୌଣସି ପ୍ରକାରର ବିଷାକ୍ତ ତରଳ ପ୍ରଦାନ କରିଥିଲେ । ସାନ ଯା’ ପୂଜା ଅଧାରୁ ଅଧିକ ପାଣି ପିଇଥିଲେ ହେଁ ସେଥିରୁ ଦୁର୍ଗନ୍ଧ ଆସୁଥିବା ନେଇ ପ୍ରଶ୍ନ କରିଥିଲେ । ତେବେ ବଡ ଯା’ ମମତା ଏହା ଗ୍ଲୁକୋଜ ପାଣି ହୋଇଥିବା ଦର୍ଶାଇ ତାଙ୍କୁ ‘ତୁ ବିଭିନ୍ନ ପ୍ରକାର ଔଷଧ ଖାଉଥିବାରୁ ’ ତୋତେ ସେହିଭଳି ବାସ୍ନା ହେଉଥିବ ବୋଲି ଉତ୍ତର ଦେଇଥିଲେ । ତେବେ ଏହା ପିଇବାର ଅଳ୍ପ କିଛି ସମୟ ପରେ ପୂଜା ଅସୁସ୍ଥତା ଅନୁଭବ କରିବାସହ କ୍ରମେ ଗୁରୁତର ଅସୁସ୍ଥ ହୋଇପଡିଥିଲେ । ପରିବାର ଲୋକେ ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆଣୀଥିଲେ ହେଁ ପୂଜାଙ୍କ ଶରୀରରେ ବିଷକ୍ରୀୟା ଅଧିକ ହେବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ପୂଜାଙ୍କୁ ମୃତ ଘୋଷଣା କରିଥିଲେ । ପୂଜାଙ୍କ ମା’ ଝରଣା ପ୍ରଧାନ ଏନେଇ କଂସର ଫାଣ୍ଡିରେ ଲିଖୀତ ଅଭିଯୋଗ କରିବା ସହ ତାଙ୍କ ଝିଅ ପୂଜାଙ୍କୁ ତାଙ୍କ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ନେଇ ସନ୍ଦେହ ପ୍ରକଟ କରିଥିଲେ ।
ରିଆମାଳ ଥାନା ପୋଲିସ ଏ ଘଟଣାର ତଦନ୍ତ କରିବାସହ ତଥା କଥିତ ଗଲୁକୋଜ ପାଣୀ ଏବଂ ଅନ୍ୟାନ୍ୟ ସାମଗ୍ରୀର ପରୀକ୍ଷା ନିମନ୍ତେ ପରୀକ୍ଷାଗାରକୁ ପଠାଇଥିଲା । ପାରିପାର୍ଶ୍ୱିକ ପରିସ୍ଥିତି ଓ ତଦନ୍ତ ସମେତ ପରୀକ୍ଷାର ରିପୋର୍ଟକୁ ଆଧାର କରି ସାନ ଯା’ ପୂଜାଙ୍କୁ ବଡ ଯା’ ମମତା ଗ୍ଲୁକୋଜ ନାମରେ ବିଷ ଦେଇ ହତ୍ୟା କରିଥିବା ସ୍ପଷ୍ଟ ହେବାପରେ ମମତାଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଥିଲା । ସାନ ଯା’ଙ୍କୁ ହତ୍ୟା କରିବା ପରେ ଦିଅର କାଳିନ୍ଦ୍ରୀକୁ ବିବାହ କରିବା ଲକ୍ଷ୍ୟରେ ମମତା ତାଙ୍କୁ ବିଷଦେଇ ହତ୍ୟା କରିଥିବା ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ।