ନୂଆଦିଲ୍ଲୀ,୧୭।୧୦: ଆମେରିକାରେ ଏକ ଅଜଣା ଫିଟନେସ ଟ୍ରେଣ୍ଡ ଏବେ ଚର୍ଚ୍ଚାରେ। ମାଂସପେଶୀ ବୃଦ୍ଧି ପାଇଁ କିଛି ଜିମ୍ ପ୍ରେମୀ ନୂଆ ମା’ଙ୍କ କ୍ଷୀର ଅନଲାଇନରେ କିଣୁଛନ୍ତି, ଯାହାକୁ ସେମାନେ ମାଂସପେଶୀ ବୃଦ୍ଧିର ‘ଗୁପ୍ତ ଶକ୍ତି’ ବୋଲି ମନେ କରୁଛନ୍ତି। ଏହି ଚାହିଦା ଏତେ ବଢ଼ିଛି ଯେ ଅନେକ ମା’ ଏହାକୁ ଅତିରିକ୍ତ ଆୟର ଉତ୍ସ ଭାବେ ବ୍ୟବହାର କରୁଛନ୍ତି।
ତେବେ ବିଶେଷଜ୍ଞମାନେ ଏହାକୁ ଅପ୍ରୟୋଜନୀୟ ଓ ବିପଜ୍ଜନକ ବୋଲି କହୁଛନ୍ତି। ଡାକ୍ତର କୁନାଲ ସୁଦ କହିଛନ୍ତି, “ମା’ କ୍ଷୀରରେ ପ୍ରତି କପ୍ରେ ମାତ୍ର ୨.୫ ଗ୍ରାମ ପ୍ରୋଟିନ ଥାଏ, ଯେଉଁଠାରେ ଗାଈ କ୍ଷୀରରେ ୭.୯ ଗ୍ରାମ ଓ ପ୍ରୋଟିନ ପାଉଡରରେ ୨୮ ଗ୍ରାମ ପ୍ରୋଟିନ ମିଳେ। ଏହା ମାଂସପେଶୀ ବୃଦ୍ଧି ପାଇଁ ଅଦରକାରୀ ଓ ବ୍ୟୟବହୁଳ।” ସେ ଆହୁରି କହିଛନ୍ତି, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ଏବଂ ଅନଲାଇନରୁ କିଣିଲେ ବ୍ୟାକ୍ଟେରିଆ ସଂକ୍ରମଣ, ଏଚଆଇଭି ଓ ହେପାଟାଇଟିସ ଭଳି ରୋଗର ବିପଦ ରହିଛି।
ଡାଏଟିସିଆନ ବିଧି ଚାଓ୍ଵଲା କହିଛନ୍ତି, “ମା’ କ୍ଷୀର ଶିଶୁଙ୍କ ପାଇଁ ଉପଯୁକ୍ତ, କିନ୍ତୁ ମାଂସପେଶୀ ବୃଦ୍ଧି ପାଇଁ ନୁହେଁ। ୨୫ ଗ୍ରାମ ପ୍ରୋଟିନ ପାଇଁ ୨.୫ ଲିଟର କ୍ଷୀର ଆବଶ୍ୟକ, ଯାହା ଅବାସ୍ତବ ଓ ଅସୁରକ୍ଷିତ।” ସେ ଅନିୟନ୍ତ୍ରିତ କ୍ଷୀର ଖାଇବା ବିରୁଦ୍ଧେ ସତର୍କ କରିଛନ୍ତି।