ନୂଆଦିଲ୍ଲୀ,୬।୩: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ୍ର ଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲରେ ଏକ ହାଇ-ସ୍କୋରିଂ ମ୍ୟାଚ୍ରେ ଭାରତ ୭ ରନରେ ବିଜୟୀ ହୋଇ ନିଜ ଟାଇଟଲ ବଜାୟ ରଖିବା ଦିଗରେ ଆଉ ଏକ ପାଦ ଆଗକୁ ବଢ଼ାଇଛି।
ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଅନୁଷ୍ଠିତ ଏହି ରୋମାଞ୍ଚକର ମ୍ୟାଚ୍ରେ ଉଭୟ ଦଳର ବ୍ୟାଟରମାନେ ରନ ବର୍ଷା କରିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍ ସଂଗ୍ରହ କରିଥିବାବେଳେ ଜବାବରେ ଇଂଲଣ୍ଡ ଦଳ ୨୪୬ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ଲକ୍ଷ୍ୟର ଖୁବ ନିକଟତର ହୋଇ ମଧ୍ୟ ହାରିଯାଇଥିଲା, ଯାହାର ମୁଖ୍ୟ କାରଣ ସାଜିଥିଲେ ଷ୍ଟାର୍ ବୋଲର ଜସପ୍ରୀତ ବୁମ୍ରା।
ଯେଉଁ ପିଚ୍ରେ ସମସ୍ତ ବୋଲର ଓଭର ପ୍ରତି ୯ରୁ ଅଧିକ ରନ ଦେଇଥିଲେ, ସେଠାରେ ବୁମ୍ରାଙ୍କ ଇକୋନୋମି ରେଟ୍ ମାତ୍ର ୮.୨୫ ଥିଲା। ସେ ନିଜର ୪ ଓଭରରେ ୩୩ ରନ୍ ଦେଇ ଏକ ଗୁରୁତ୍ୱପୂର୍ଣ୍ଣ ଉଇକେଟ ଅକ୍ତିଆର କରିଥିଲେ।
ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ ଡୁପ୍ଲେସି ବୁମ୍ରାଙ୍କ ସଫଳତାର ରହସ୍ୟ ଖୋଲିଛନ୍ତି। ବୁମ୍ରାଙ୍କ ବୋଲିଂ ଆକ୍ସନ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା, ଯାହାଫଳରେ ବଲ କେଉଁ ଗତିରେ ଆସୁଛି ତାହା ବୁଝିବା ବ୍ୟାଟରଙ୍କ ପାଇଁ କଷ୍ଟକର ହୋଇଥାଏ। ତାଙ୍କର ଏହି ଶୈଳୀ କିମ୍ବଦନ୍ତୀ ବୋଲର ଲସିଥ ମାଲିଙ୍ଗାଙ୍କ ସହ ସମାନ, ଯାହା ବ୍ୟାଟରଙ୍କୁ ଅଡୁଆରେ ପକାଏ।
ବୁମ୍ରା ନିଜର ପ୍ରଥମ ବଲ୍ରେ ଏକ ସ୍ଲୋୟର୍ (slower) ପକାଇଥିଲେ, ଯାହାକୁ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ୍ ବୁଝିପାରି ନ ଥିଲେ ଏବଂ ଅକ୍ଷର ପଟେଲଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଜିତିବା ପାଇଁ ଇଂଲଣ୍ଡକୁ ୧୮ଟି ବଲ୍ରେ ୪୫ ରନ୍ ଆବଶ୍ୟକ ଥିବାବେଳେ ବୁମ୍ରା ଏହି ଗୁରୁତ୍ୱପୂର୍ଣ୍ଣ ଓଭରରେ ମାତ୍ର ୬ ରନ୍ ଦେଇ ମ୍ୟାଚ୍କୁ ଭାରତ ସପକ୍ଷକୁ ନେଇଆସିଥିଲେ। ଫାଫ ଡୁପ୍ଲେସିଙ୍କ କହିବା ଅନୁଯାୟୀ, ବୁମ୍ରାଙ୍କ ବଲ୍ର ଗତି ବୁଝିବାରେ ବ୍ୟାଟରମାନେ ବିଳମ୍ବ କରିଥିଲେ। ତେବେ ଲଗାତାର ଦ୍ୱିତୀୟ ଥର ବିଶ୍ୱକପ ଜିତିବା ଲକ୍ଷ୍ୟରେ ଥିବା ଭାରତ ପାଇଁ ବୁମ୍ରା ଏବେ ସବୁଠାରୁ ବଡ଼ ଅସ୍ତ୍ର ସାଜିଛନ୍ତି।
Dharitri – Odisha’s No.1 Odia Daily