ନୂଆଦିଲ୍ଲୀ,୨୨।୭: ମୌସୁମୀ ଅଧିବେଶନର ଆରମ୍ଭ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ହଠାତ୍ ଇସ୍ତଫାଠାରୁ ଆରମ୍ଭ ହୋଇଛି। ସେ ସୋମବାର ରାତିରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ନିଜ ପଦରୁ ଇସ୍ତଫା ଦେଇଥିଲେ। ଏବେ ତାଙ୍କର ଏଭଳି ପଦକ୍ଷେପ ପରେ ସରକାର ସହ ଭାଜପାରେ ମଧ୍ୟ ବଡ଼ ପରିବର୍ତ୍ତନ ହୋଇପାରେ ବୋଲି କୁହାଯାଉଛି। କାରଣ ସେ ଏଭଳି ସମୟରେ ପଦ ଛାଡ଼ିଛନ୍ତି ଯେତେବେଳେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୟନ କରିବା ଦିଗରେ ଆଗକୁ ବଢ଼ୁଛି।
ଉପରାଷ୍ଟ୍ରପତି ପଦ ଖାଲି ହେବା ପରେ ଭାଜପା ପାଖରେ ୨ କାମ ଆସିଛି। ପ୍ରଥମଟି ହେଉଛି ନୂଆ ଅଧ୍ୟକ୍ଷ ନିର୍ବାଚନ ଏବଂ ଦ୍ୱିତୀୟଟି ଉପରାଷ୍ଟ୍ରପତି ଚୟନ ଯେଉଁଥିରେ ଏନ୍ଡିଏ ସରକାରରେ ସାମିଲ ଅନ୍ୟ ଦଳମାନଙ୍କୁ ସାଙ୍ଗରେ ନେଇ ଚାଲିବା ଗୁରୁତ୍ୱପୂର୍ଣ୍ଣ ହେବ।
ଉପରାଷ୍ଟ୍ରପତି ପଦ ପାଇଁ ଭାଜପା ଏଭଳି ପ୍ରାର୍ଥୀ ଖୋଜୁଛି ଯାହାର ସମ୍ବିଧାନିକ ଦାୟିତ୍ୱ ତୁଲାଇବାର ଅନୁଭବ ଏବଂ କ୍ଷମତା ଥିବ। ୨୦୨୯ ପୂର୍ବରୁ ଗୋଟିଏ ଦେଶ ଗୋଟିଏ ନିର୍ବାଚନ ଭଳି ବଡ଼ ବିଲ୍ ଅଣାଯିବାର ସମ୍ଭାବନା ରହିଛି। ଏମିତିରେ ରାଜ୍ୟ ସଭା ଅଧ୍ୟକ୍ଷ ଭୂମିକା ସରକାର ଏବଂ ଭାଜପାର ଭବିଷ୍ୟତର ନୀତି ବିରୋଧରେ ପ୍ରମୁଖ ରହିବ।
ପାର୍ଟି ଅଧ୍ୟକ୍ଷ ପଦ ପାଇଁ ଦଳ ଏଭଳି ପ୍ରାର୍ଥୀ ଖୋଜୁଛି, ଯିଏ ୨୦୨୯ ଲୋକ ସଭା ନିର୍ବାଚନର ଦିଗ ନିଶ୍ଚିତ କରିବାରେ ସହାୟକ ହେବେ। ଏଥିସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନଡିଏ ସରକାର ଉପଲବ୍ଧିକୁ ଆଗକୁ ବଢ଼ାଇବେ।
ଏଭଳି ସ୍ଥିତିରେ ମନ୍ତ୍ରୀମଣ୍ଡଳ ବିସ୍ତାର ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ହେଲେ ଏହାକୁ ନେଇ ସରକାର ଆଧିକାରୀକ ଭାବେ କିଛି କହିନାହାନ୍ତି। ଏଥିରେ କିଛି ନୂଆ ମୁହଁକୁ ସାମିଲ କରାଯାଇପାରେ। ସେହିଭଳି କିଛି ମନ୍ତ୍ରୀଙ୍କୁ ନୂଆ ପଦବୀ ଦିଆଯାଇପାରେ। ଏଣୁ ସରକାର ଏବଂ ଦଳ ଉଭୟରେ ବଡ଼ ପରିବର୍ତ୍ତନ ହେବ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନିକଟରେ ଆରଏସଏସ୍ ମୁଖ୍ୟ ତଥା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ ୭୫ ବର୍ଷ ବୟସକୁ ନେଇ ବଡ଼ ବୟାନ ଦେଇଥିଲେ। ବିରୋଧୀ ଦାବି କରୁଛନ୍ତି ଯେ ଏହା ମୋଦିଙ୍କ ପାଇଁ ବଡ଼ ବାର୍ତ୍ତା। କାରଣ ଧନଖର ମେ’ରେ ୭୪ ବର୍ଷର ହୋଇଥିଲେ।
ଏବେ ଉପରାଷ୍ଟ୍ରପତି ପଦ ଲାଗି ଶୀଘ୍ର ନିର୍ବାଚନ କରାଇବାକୁ ହେବ। ଏହାପରେ ସେ ଆଗାମୀ ୫ ବର୍ଷ ଯାଏ ଏହି ପଦବୀରେ ରହିବେ।