ନୂଆଦିଲ୍ଲୀ,୨୬।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଳଦ୍ୱୀପ ଗସ୍ତ ଶେଷ ହୋଇଛି। ସେ ମାଲଦ୍ୱୀପରୁ ଭାରତ ଫେରୁଛନ୍ତି, କିନ୍ତୁ ଦିଲ୍ଲୀ ନ ଆସି ସିଧାସଳଖ ତାମିଲନାଡୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିମାନ ରାତିରେ ତାମିଲନାଡୁରେ ଅବତରଣ କରିବ। ବ୍ରିଟେନ ଗସ୍ତ ଶେଷ କରି ମୋଦି ମାଲଦ୍ୱୀପରେ ପହଞ୍ଚିଥିଲେ, ଯେଉଁଠାରେ ସେ ଶନିବାର ମାଳଦ୍ୱୀପର ସ୍ବାଧୀନତା ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ମାଲଦ୍ୱୀପ ପରେ କାହିଁକି ସିଧାସଳଖ ତାମିଲନାଡୁ?
ପ୍ରଧାନମନ୍ତ୍ରୀ ମୋଦି ଶନିବାର ରାତିରେ ତୂତିକୋରିନରୁ ତ୍ରିଚି ବିମାନ ମାର୍ଗରେ ପହଞ୍ଚିବେ। ତ୍ରିଚି ବିମାନବନ୍ଦରରେ ପହଞ୍ଚିବା ପରେ ସେ କଲେକ୍ଟର ଅଫିସ ରୋଡ଼ସ୍ଥିତ ଏକ ହୋଟେଲରେ ରାତ୍ରି ବିଶ୍ରାମ କରିବେ। ପରଦିନ ସକାଳେ ସେ ହୋଟେଲରୁ ବିମାନବନ୍ଦର ପର୍ଯ୍ୟନ୍ତ ଏକ ରୋଡ ଶୋ’ରେ ଅଂଶଗ୍ରହଣ କରିବେ ଏବଂ ପରେ ହେଲିକପ୍ଟର ଯୋଗେ ଅରିୟାଲୁର ଅଭିମୁଖେ ଯାତ୍ରା କରିବେ।
ତାମିଲନାଡୁକୁ ୪,୮୦୦ କୋଟିର ଉପହାର:
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ତୂତିକୋରିନରେ ୪,୮୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପଣ କରିବେ ଏବଂ ଅନେକ ପ୍ରକଳ୍ପର ଉଦଘାଟନ ମଧ୍ୟ କରିବେ।
ଆଧିକାରିକ ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ବିମାନବନ୍ଦରର ନୂଆ ଟର୍ମିନାଲ ଭବନର ଉଦଘାଟନ କରିବେ ଏବଂ ଏହାର ପରିଦର୍ଶନ ମଧ୍ୟ କରିବେ।ସେ ଦୁଇଟି ରଣନୀତିକ ଗୁରୁତ୍ୱପୂର୍ଣ୍ଣ ରାଜମାର୍ଗ ପ୍ରକଳ୍ପ ରାଷ୍ଟ୍ରକୁ ସମର୍ପଣ କରିବେ।
ଏହା ମଧ୍ୟରୁ ଏକ ହେଉଛି ଜାତୀୟ ରାଜପଥ-୩୬ର ସେଥିୟାଥୋପେରୁ ଚୋଲାପୁରମ ପର୍ଯ୍ୟନ୍ତ ୫୦ କିଲୋମିଟର ରାସ୍ତାକୁ ଚାରି ଲେନରେ ବିକଶିତ କରାଯାଇଛି, ଯାହା ବିକ୍ରବାଣ୍ଡି-ତଞ୍ଜାଭୁର କରିଡର ଅଧୀନରେ ୨,୩୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ।
ଦ୍ୱିତୀୟ ପ୍ରକଳ୍ପ ହେଉଛି NH-୧୩୮ର ୫.୧୬ କିଲୋମିଟର ତୂତିକୋରିନ ବନ୍ଦର ରାସ୍ତାକୁ ଛଅ ଲେନରେ ପ୍ରସାରିତ କରାଯାଇଛି, ଯାହାର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା। ଏହା ସହ ମୋଦି ଭି. ଓ. ଚିଦମ୍ବରନାର ବନ୍ଦରରେ ୨୮୫ କୋଟି ଟଙ୍କା ବ୍ୟୟରେ ର୍ନିମିତ ୬.୯୬ ଏମଏମଟିପିଏ ମାଲ ପରିଚାଳନା କ୍ଷମତା ସହିତ ନର୍ଥ କାର୍ଗୋ ବର୍ଥ-୩ର ଉଦଘାଟନ କରିବେ।
ସେ ଦକ୍ଷିଣ ତାମିଲନାଡୁରେ ତିନୋଟି ପ୍ରମୁଖ ରେଳ ଭିତ୍ତିଭୂମି ପ୍ରକଳ୍ପ ମଧ୍ୟ ରାଷ୍ଟ୍ରକୁ ସମର୍ପଣ କରିବେ, ଯାହା ସ୍ଥାୟୀ ଓ ପ୍ରଭାବଶାଳୀ ସଂଯୋଗୀକରଣକୁ ବୃଦ୍ଧି କରିବ।
ଏହା ବ୍ୟତୀତ, ମୋଦି କୁଡନକୁଲମ ପରମାଣୁ ବିଦ୍ୟୁତ କେନ୍ଦ୍ରର ଇକାଇ ୩ ଓ ୪ (୨ସ୧୦୦୦ ମେଗାୱାଟ)ରୁ ବିଦ୍ୟୁତ ନିଷ୍କାସନ ପାଇଁ ଅନ୍ତର୍-ରାଜ୍ୟ ଟ୍ରାନ୍ସମିସନ ସିଷ୍ଟମ (IST)ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି ପ୍ରକଳ୍ପ ସ୍ବଚ୍ଛ ଶକ୍ତି ଯୋଗାଣ ସୁନିଶ୍ଚିତ କରିବ ଏବଂ ତାମିଲନାଡୁ ସମେତ ଅନ୍ୟାନ୍ୟ ଲାଭାନ୍ବିତ ରାଜ୍ୟର ବିଦ୍ୟୁତ ଚାହିଦା ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ।
ତାମିଲନାଡୁରେ ଚାଲିଛି ପ୍ରସ୍ତୁତି
ପ୍ରଧାନମନ୍ତ୍ରୀ ମୋଦିଙ୍କ ତାମିଲନାଡୁ ଗସ୍ତକୁ ନେଇ ଭାଜପାର ରାଜ୍ୟ ଇକାଇ ମଧ୍ୟ ବଡ଼ ଧରଣର ପ୍ରସ୍ତୁତି କରିଛି। ଭାଜପା ନେତା କେ. ଅନ୍ନାମଲାଇ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ ଲେଖିଛନ୍ତି, ତାମିଲନାଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୂତିକୋରିନ ଓ ଐତିହାସିକ ଗଙ୍ଗେଇକୋଣ୍ଡା ଚୋଲପୁରମରେ ସ୍ବାଗତ କରି ଗର୍ବିତ। ଭାଜପା ନେତା ତଥା ତେଲଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ କହିଛନ୍ତି, ଆମେ ବହୁତ ଖୁସି ଯେ ଆମ ପ୍ରଧାନମନ୍ତ୍ରୀ ତୂତିକୋରିନ ଆସୁଛନ୍ତି ଏବଂ ସେ କଲ୍ୟାଣକାରୀ ଯୋଜନାଗୁଡ଼ିକର ଉଦ୍ଘାଟନ କରୁଛନ୍ତି।