ବର୍ଷା ଋତୁ ଆସିଲେ ପ୍ରକୃତି ଏକ ନୂଆ ରୂପ ନେଇଥାଏ। ଚାରିଆଡ଼େ ସବୁଜିମା, ଝିପଝିପ ବର୍ଷା ଏବଂ ମାଟିର ସୁଗନ୍ଧ ମନକୁ ଏକ ଅଜଣା ଖୁସି ଦେଇଥାଏ। କିନ୍ତୁ ଅନେକ ଲୋକ ଏହି ସମୟରେ ଭାବୁକ ହୋଇପଡ଼ନ୍ତି। କେତେବେଳେ ମନ ଉଦାସ ଲାଗେ, ତ କେତେବେଳେ ପୁରୁଣା ସ୍ମୃତି ମନକୁ ଆସେ। ତେବେ ଏପରି କାହିଁକି ବର୍ଷା ଦିନରେ ହୋଇଥାଏ? ଆସନ୍ତୁ ଜାଣିବା ଏନେଇ କଣ କହୁଛି ବିଜ୍ଞାନ…
ବିଜ୍ଞାନ ଅନୁସାରେ, ବର୍ଷା ଋତୁରେ ଲୋକଙ୍କ ଭାବନା ଉପରେ ପ୍ରଭାବ ପଡ଼ିବାର ଅନେକ କାରଣ ରହିଛି। ପ୍ରଥମତଃ, ବର୍ଷା ସମୟରେ ସୂର୍ଯ୍ୟକିରଣ କମ୍ ମିଳେ, ଯାହା ଶରୀରରେ ସେରୋଟୋନିନ୍ ହରମୋନ୍ର ମାତ୍ରା ହ୍ରାସ କରିଥାଏ। ସେରୋଟୋନିନ୍ ଏକ ଏପରି ହରମୋନ୍ ଯାହା ମନକୁ ଖୁସି ଏବଂ ସ୍ଥିର ରଖିଥାଏ। ଏହା କମିଲେ ମନ ଉଦାସ ହୋଇପଡ଼େ। ଏହା ସହିତ, ବର୍ଷା ସମୟରେ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଏ ଏବଂ ଅକ୍ସିଜେନ୍ ଲେବଲ୍ କମିଯାଏ, ଯାହା ମସ୍ତିଷ୍କରେ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପକାଇଥାଏ। ଏହା ମଧ୍ୟ ମନକୁ ଅସ୍ଥିର କରିଥାଏ। ଏକ ଗବେଷଣା ଅନୁସାରେ, ବର୍ଷା ସମୟରେ ମାଟିରୁ ଆସୁଥିବା ସୁଗନ୍ଧ (ଯାହାକୁ ପେଟ୍ରିକୋର କୁହାଯାଏ) ମନକୁ ଶାନ୍ତ କରିଥାଏ, କିନ୍ତୁ ଏହା ପୁରୁଣା ସ୍ମୃତିକୁ ମଧ୍ୟ ଜାଗ୍ରତ କରିଥାଏ, ଯାହା ଭାବୁକତା ବଢ଼ାଇଥାଏ।
ଅନ୍ୟପଟେ ମନୋବିଜ୍ଞାନୀଙ୍କ ଅନୁସାରେ, ବର୍ଷା ଋତୁ ଅନେକ ଲୋକଙ୍କ ପାଇଁ ଏକ ରୋମାଣ୍ଟିକ ଏବଂ ଶାନ୍ତ ଅନୁଭବ ଆଣିଥାଏ। କିନ୍ତୁ ଯେଉଁମାନଙ୍କର ପୂର୍ବରୁ ଉଦାସୀନତା କିମ୍ବା ଏକଲାପଣର ଅନୁଭବ ରହିଛି, ସେମାନଙ୍କ ପାଇଁ ଏହି ଋତୁ ମନକୁ ଆହୁରି ଭାବୁକ କରିଥାଏ । ଏନେଇ ବିଶେଷଜ୍ଞମାନେ କହିଛନ୍ତି ଯେ ବର୍ଷା ସମୟରେ ନିଜକୁ ବ୍ୟସ୍ତ ରଖିବା, ଘର ଭିତରେ ଆଲୋକ ବ୍ୟବସ୍ଥା ଉଜ୍ଜ୍ୱଳ ରଖିବା ଏବଂ ସକାରାତ୍ମକ ଚିନ୍ତାଧାରା ଗ୍ରହଣ କରିବା ଦ୍ୱାରା ମନକୁ ଖୁସି ରଖାଯାଇପାରିବ। ଏହା ସହିତ, ବର୍ଷାର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବାହାରେ ବୁଲିବା କିମ୍ବା ପ୍ରକୃତି ସହ ସମୟ କାଟିବା ମଧ୍ୟ ମନକୁ ସତେଜ ରଖିପାରେ।