କଲମ୍ବୋ,୨୬ା୨: ଟି୨୦ ବିଶ୍ୱକପ୍ରେ ଶ୍ରୀଲଙ୍କା ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି କେବଳ ଖେଳାଳିଙ୍କ ଫିଟ୍ନେସ ଓ ଫର୍ମ ଦାୟୀ ନୁହେଁ, ବରଂ ଦଳ ବାହାରେ ସୃଷ୍ଟି ହୋଇଥିବା ନକାରାତ୍ମକ ପରିବେଶ ମଧ୍ୟ ଦାୟୀ। ସେମିଫାଇନାଲ ଦୌଡ଼ରୁ ଶ୍ରୀଲଙ୍କା ବିଦାୟ ନେବା ପରେ ଅଧିନାୟକ ଦାସୁନ ଶନକା ଏହା କହିଛନ୍ତି। ଏଥିସହିତ ତାଙ୍କ ଖେଳାଳିଙ୍କୁ ସମାଲୋଚନାଠାରୁ ସୁରକ୍ଷା ଦେବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଖେଳାଳି ଭାବେ ଆମ ପାଇଁ ବାହ୍ୟ ସମାଲୋଚନାକୁ ନିୟନ୍ତ୍ରଣ କରିବା କଷ୍ଟକର। ଏଣୁ ପ୍ରାୟତଃ ସମୟରେ ଆମେ ମୁଖ୍ୟତଃ ନକାରାତ୍ମକ ସମାଲୋଚନା ହିଁ ଶୁଣୁ। ଏଣୁ ଜଣେ ଖେଳାଳି ଭାବେ ଆମେ ଯେତେ ସକାରାତ୍ମକ ଥିଲେ ବି, ବାହାରୁ ଦଳ ମଧ୍ୟରେ ଏକ ନକାରାତ୍ମକ ପରିବେଶ ସୃଷ୍ଟି କରାଯାଇଛି। ଏହା ଶ୍ରୀଲଙ୍କା କ୍ରିକେଟର କ୍ଷତି କରୁଛି। ଆମେ ବିଶ୍ୱକପ୍ ହାରିଗଲୁ। ଆମକୁ କାରଣ ଜଣାଅଛି ଏବଂ ଆମେ ସମସ୍ତେ ଚିନ୍ତିତ। ଆମକୁ ଗୋଟିଏ ମ୍ୟାଚ୍ ଖେଳିବାର ଅଛି। ଆମେ ଖେଳିବୁ ଓ ଯିବୁ। କିନ୍ତୁ ସମାଲୋଚନା ବନ୍ଦ ହେବ ନାହିଁ। ଯଦି ସରକାର ହସ୍ତକ୍ଷେପ କରନ୍ତି, ତେବେ ଅତିକମ୍ରେ ଭବିଷ୍ୟତରେ ଆସିବାକୁ ଥିବା ଖେଳାଳିଙ୍କ ଲାଗି ଭଲ ହେବ।
ମୋ ମତରେ ତାହା ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ଲାଗି ଭଲ ହେବ ବୋଲି ଶନକା କହିଛନ୍ତି। ଏଥିସହିତ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ସେ ଦେଶବାସୀଙ୍କୁ କ୍ଷମା ମାଗିଛନ୍ତି।