ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସିଏସ୍କେ ବିପକ୍ଷରେ ଦମଦାର ବୋଲିଂ କରିବା ସହ ଜାଡେଜାଙ୍କର ଏକ ସ୍ବତନ୍ତ୍ର ସେଲିବ୍ରେସନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ମ୍ୟାଚରେ ଜାଡେଜା ନିଜର ପୁରୁଣା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ସେ ଗୋଟିଏ ଓଭରରେ ଦୁଇଟି ବଡ଼ ଉଇକେଟ ନେଇ ସିଏସ୍କେର ବ୍ୟାଟିଂ କ୍ରମକୁ ଦୋହଲାଇ ଦେଇଥିଲେ। ଜାଡେଜା ପ୍ରଥମେ ସରଫରାଜ ଖାନ ଏବଂ ପରେ ବିପଜ୍ଜନକ ବ୍ୟାଟର ଶିବମ ଦୁବେଙ୍କୁ ଆଉଟ କରିଥିଲେ। ମୋଟ ୩ ଓଭର ବୋଲିଂ କରି ସେ ମାତ୍ର ୧୮ ରନ ଦେଇ ୨ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ହାସଲ କରିଥିଲେ।
ଶିବମ ଦୁବେଙ୍କୁ ଆଉଟ କରିବା ପରେ ଜାଡେଜା ଯେଉଁ ଅନ୍ଦାଜରେ ଉତ୍ସବ ପାଳନ କରିଥିଲେ, ତାହା ସମସ୍ତଙ୍କୁ ଚକିତ କରିଦେଇଥିଲା। ସେ ନିଜର ପ୍ରସିଦ୍ଧ “ଗନ-ସଟ” (Gun-shot) ସେଲିବ୍ରେସନ ଦେଖାଇଥିଲେ। ଏହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପ୍ରଶଂସକଙ୍କୁ ଆଘାତ ଦେଇଥିଲା।
ପରେ ସେ ଏହା ସମ୍ପର୍କରେ କହିଛନ୍ତି, “ମୁଁ ଶିବମ ଦୁବେଙ୍କୁ ଦୀର୍ଘ ଦିନରୁ ଜାଣିଛି। ନେଟ୍ସରେ ତାଙ୍କୁ ବହୁତ ବୋଲିଂ କରିଛି, ତେଣୁ ସେ ସ୍ପିନରଙ୍କୁ କିଭଳି ଖେଳନ୍ତି ତାହା ମୋତେ ଜଣାଥିଲା। ପିଚ୍ ଟିକେ ଷ୍ଟିକି ଥିଲା ଏବଂ ବଲ ଟର୍ଣ୍ଣ ହେଉଥିଲା, ଯାହା ମୋ ପାଇଁ ଲାଭଦାୟକ ହେଲା।”
ତେବେ ୨୦୦୮ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳି ଆଇପିଏଲ ଯାତ୍ରା ଆରମ୍ଭ କରିଥିବା ଜାଡେଜା ପୁଣି ଥରେ ନିଜର ପୁରୁଣା ଦଳକୁ ଫେରିଛନ୍ତି। ସେ କହିଛନ୍ତି ଯେ, “ମୋତେ ଲାଗୁଛି ଗୋଲାପି ରଙ୍ଗ (RR ଜର୍ସି) ମୋ ଉପରେ ବେଶ ଭଲ ଦେଖାଯାଉଛି।”
ସୂଚନା ଥାଉ କି, ଜାଡେଜା ସିଏସ୍କେର ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ ମଧ୍ୟ ଏବେ ସେ ଆର୍ଆର୍ ପାଇଁ ନିଜର ଜଲୱା ଦେଖାଉଛନ୍ତି।
Dharitri – Odisha’s No.1 Odia Daily