ଭୁବନେଶ୍ୱର,୧୨।୪(ରବିନାରାୟଣ ଜେନା):ରାଜ୍ୟ ସଭାରେ ଓ୍ବକ୍ଫ ବିଲ୍ ପାରିତ ବେଳେ ବିଜେଡି ସଦସ୍ୟ ଡ. ସସ୍ମିତ ପାତ୍ରଙ୍କ ଉପରେ ଦ୍ୱିତୀୟ କ୍ଷମତା କେନ୍ଦ୍ରର ଚାପ ଥିଲା ବୋଲି କଂଗ୍ରେସ ଏମ୍ପି ସପ୍ତଗିରି ଉଲାକା ଶୁକ୍ରବାର ଭି. କେ ପାଣ୍ଡିଆନଙ୍କୁ ଆକ୍ଷେପ କରି କହିଛନ୍ତି।
ଗଣମାଧ୍ୟମରେ କହିଛନ୍ତି, ରାଜ୍ୟ ସଭାରେ ମତଦାନ ବେଳେ ସସ୍ମିତ କିଛି ସମୟ ପାଇଁ ବାହାରକୁ ଯାଇଥିଲେ। ଏହି ସମୟରେ ତାଙ୍କ ଉପରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ତଥା ପାଣ୍ଡିଆନ ଚାପ ପକାଇଥିଲେ; ଯେଉଁଥିପାଇଁ ସେ ଗଣମାଧ୍ୟମ ସମ୍ମୁଖରେ ସଦସ୍ୟମାନଙ୍କୁ ଓ୍ବକ୍ଫ ବିଲ୍ ପ୍ରସଙ୍ଗରେ ବିବେକାନୁମୋଦିତ ଭୋଟଦେବାକୁ କହିଥିଲେ। ତେବେ ସଂସଦୀୟ ଗଣତନ୍ତ୍ରରେ ପ୍ରଥମଥର ପାଇଁ ବିଜେଡି ସଦସ୍ୟଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ୍ବକ୍ଫ ବିଲ୍କୁ ବିରୋଧ କରିବାପାଇଁ କହିସାରିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ସସ୍ମିତଙ୍କ ୟୁଟର୍ନ କେବଳ ଦ୍ୱିତୀୟ କ୍ଷମତା କେନ୍ଦ୍ରଙ୍କ ଚାପ ଯୋଗୁ ସମ୍ଭବ ହୋଇଛି ବୋଲି ସପ୍ତଗିରି କହିଛନ୍ତି।