ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥିବା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି।
ଆସନ୍ତା ୧୫ରେ ପାଟନାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଉତ୍ସବ ଅନୁଷ୍ଠିତ ହେବା ସମ୍ଭାବନା ଥିବା ବେଳେ ଏହାର ୩ ଦିନ ପୂର୍ବରୁ ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ଲାଗି ନିଷ୍ପତ୍ତି ନେଇଛି। ଭାଜପାରୁ ଜଣଙ୍କୁ ନୂଆ ମୁଖ୍ୟମନ୍ତ୍ରୀ କରିବା ପାଇଁ ଦଳ ଉଦ୍ୟମ ଚଳାଇଛି। ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ପ୍ରମୁଖ ନେତାଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀ, ଶ୍ରେୟାସୀ ସିଂ ଏବଂ ସଞ୍ଜୀବ ଚୌରାସିଆଙ୍କ ନାମ ଚର୍ଚ୍ଚାରେ ରହିଛି। ଅନ୍ୟପକ୍ଷରେ ଜେଡିୟୁ ନିଜ ଦଳରୁ ଜଣକୁ ନୀତୀଶଙ୍କ ଉତ୍ତରାଧିକାରୀ କରିବାକୁ ଚାହୁଁଛି।