ଶେହବାଜ୍‌ ଶରିଫ୍‌ କିଏ

ଇସ୍‌ଲାମାବାଦ, ୧ା୪ :ଅନାସ୍ଥା ପ୍ରସ୍ତାବରେ ହାରିବା ପରେ ଇମ୍ରାନ୍‌ ଖାନ୍‌ ଶାସନରୁ ହଟିବେ। ତାଙ୍କ ପରେ ଶେହବାଜ୍‌ ଶରିଫ୍‌ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌)ର ଅଧ୍ୟକ୍ଷ ଶେହବାଜ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ୍‌ ଶରିଫ୍‌ଙ୍କ ଭାଇ। ଏବେ ଶେହବାଜ୍‌ ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲି (ପାକ୍‌ ପାର୍ଲାମେଣ୍ଟର ନିମ୍ନ ସଦନ)ରେ ବିରୋଧୀ ଦଳ ନେତା। ଶେହବାଜ୍‌ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ୩ ଥର ତଥା ସବୁଠାରୁ ଦୀର୍ଘ ସମୟ ମୁଖ୍ୟମନ୍ତ୍ରୀ ରହିଛନ୍ତି। ୧୯୯୭ରେ ସେ ପ୍ରଥମ ଥର ପଞ୍ଜାବରେ କ୍ଷମତାକୁ ଆସିଥିଲେ। ୧୯୯୯ରେ ଜେନେରାଲ ପରଭେଜ୍‌ ମୁଶରଫ୍‌ ସେନା ବିଦ୍ରୋହ କରିବା ପରେ ଶେହବାଜ୍‌ଙ୍କୁ ପାକିସ୍ତାନ ଛାଡ଼ିବାକୁ ପଡ଼ିଥିଲା। ସେ ସାଉଦି ଆରବରେ ୮ ବର୍ଷ ରହିଥିଲେ। ୨୦୦୭ରେ ସେ ପାକିସ୍ତାନ ଫେରିଥିଲେ। ୨୦୦୮ ନିର୍ବାଚନ ପରେ ଶେହବାଜ୍‌ ପୁଣି ପଞ୍ଜାବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୩ରେ ସେ ମୁଖ୍ୟମନ୍ତ୍ରୀ ଭାବେ ତୃତୀୟ ପାଳି ପୂରଣ କରିଥିଲେ। ୨୦୧୮ରେ ପିଏମ୍‌ଏଲ୍‌-ଏନ୍‌ ପରାଜିତ ହୋଇଥିଲା। ସେହି ବର୍ଷ ସେ ବିରୋଧୀ ଦଳ ନେତା ନିର୍ବାଚିତ ହୋଇଥିଲେ। ମନି ଲଣ୍ଡରିଂ ମାମଲାରେ ନ୍ୟାଶନାଲ ଆକାଉଣ୍ଟାବିଲିଟି ବ୍ୟୁରୋ ୨୦୨୦ ସେପ୍ଟେମ୍ବରରେ ତାଙ୍କୁ ଗିରଫ କରିଥିଲା। ୨୦୨୧ ଏପ୍ରିଲରେ ଲାହୋର ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ।