Categories: Home Middleଖେଳ

ଭାରତର ନୂଆ ଜାଭେଲିନ୍ ଷ୍ଟାର ସଚିନ ଯାଦବ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଚମକିଲେ

ଟୋକିଓ,୧୮।୯: ଭାରତର ଜାଭେଲିନ୍ ତାରକା ସଚିନ ଯାଦବ ଗୁରୁବାର ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ ଫାଇନାଲରେ ଜାପାନର ଟୋକିଓ ନ୍ୟାସନାଲ ଷ୍ଟାଡିୟମରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୀରଜ ଚୋପ୍ରା ଓ ପାକିସ୍ତାନର ଅର୍ଶଦ ନାଦୀମଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଦ୍ୱନ୍ଦ୍ୱକୁ ନେଇ ଚର୍ଚ୍ଚା ଥିବା ବେଳେ, ୨୫ ବର୍ଷୀୟ ସଚିନ ନିଜର ପ୍ରଥମ ପ୍ରୟାସରେ ୮୬.୨୭ ମିଟର ଦୂରତାରେ ଜାଭେଲିନ୍ ଫିଙ୍ଗି ଏସୀୟ ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରୟାସ ଥିଲା, ଯାହା ତାଙ୍କୁ ବିଶ୍ୱ ଚାମ୍ପିଅନସିପରେ ଚତୁର୍ଥ ସ୍ଥାନ ଅଧିକାର କରାଇଛି। ନୀରଜ ଚୋପ୍ରା ୮ମ ଓ ଅର୍ଶଦ ନାଦୀମ ୧୦ମ ସ୍ଥାନରେ ରହିଥିଲେ।

ସଚିନ ଯାଦବ କିଏ?
ଉତ୍ତର ପ୍ରଦେଶର ଖେକ୍ରାରେ ୧୯୯୯ ଅକ୍ଟୋବର ୨୫ରେ ଜନ୍ମଗ୍ରହଣ କରିଥିବା ସଚିନ ପ୍ରାରମ୍ଭରେ ଜଣେକ୍ରିକେଟ ଫାଷ୍ଟ ବୋଲର ହେବାକୁ ଚାହୁଁଥିଲେ। ୧୯ ବର୍ଷ ବୟସରେ ସେ ଜାଭେଲିନ୍ ଥ୍ରୋ ଆଡ଼କୁ ମନୋବଳ ବଦଳାଇଥିଲେ। ୬ ଫୁଟ ୫ ଇଞ୍ଚ ଉଚ୍ଚତା ବିଶିଷ୍ଟ ସଚିନ ପୂର୍ବତନ ଭାରତୀୟ ଅଧିନାୟକ ଏମ.ଏସ୍. ଧୋନୀ ଓ ପେସର ଜସପ୍ରୀତ ବୁମରାଙ୍କୁ ଆଦର୍ଶ ମାନନ୍ତି।

ସଚିନ ଚଳିତ ବର୍ଷ ଡେହରାଡୁନରେ ଆୟୋଜିତ ୩୮ତମ ଜାତୀୟ କ୍ରୀଡ଼ାରେ ୮୪.୩୯ ମିଟର ଥ୍ରୋ ସହିତ ସ୍ୱର୍ଣ୍ଣ ପଦକ ଜିତି ରେକର୍ଡ ସୃଷ୍ଟି କରିଥିଲେ। ଏହା ତାଙ୍କର ତତ୍କାଳୀନ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରୟାସ ଥିଲା। ଏହାଛଡ଼ା, ୨୦୨୫ ଏସୀୟ ଚାମ୍ପିଅନସିପରେ ସେ ରୌପ୍ୟ ପଦକ ଓ ନୀରଜ ଚୋପ୍ରା କ୍ଲାସିକରେ ୮୨.୩୩ ମିଟର ଥ୍ରୋ ସହିତ ଚତୁର୍ଥ ସ୍ଥାନ ହାସଲ କରିଥିଲେ।

ବିଶ୍ୱ ଚାମ୍ପିଅନସିପର କ୍ୱାଲିଫାୟରରେ ସଚିନ ନୀରଜଙ୍କ ସମାନ ଗ୍ରୁପରେ ଥାଇ ପ୍ରଥମେ ୮୦.୧୬ ମିଟର ଥ୍ରୋ କରିଥିଲେ, କିନ୍ତୁ ପରେ ୮୩.୬୭ ମିଟର ଥ୍ରୋ ସହିତ ୧୦ମ ସ୍ଥାନ ହାସଲ କରି ୧୨ ଜଣିଆ ଫାଇନାଲ ପାଇଁ ମନୋନୀତ ହୋଇଥିଲେ।

Share