ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ: ତାଙ୍କୁ ଖୋଜିବାକୁ ଡିଜିପିଙ୍କ ପାଖରେ…

ଯାଜପୁରରୋଡ଼/ଧର୍ମଶାଳା(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି)୨୨।୧୧:ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବିରେ ଜିଲା ସିଭିଲ ସୋସାଇଟି ଏବଂ ଗଣସଙ୍ଗଠନ ଗୁଡିକ ପକ୍ଷରୁ ବିକ୍ଷୋଭ କରାଯାଇ ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନ ସମୂହ ପକ୍ଷରୁ ବିଶ୍ୱନାଥ ପାତ୍ରଙ୍କ ଆହ୍ବାନ କ୍ରମେ ସିଆଇଟିୟୁ ଜିଲା ସଭାପତି ପ୍ରଫୁଲ୍ଲ ନାୟକ, ନାରୀନେତ୍ରୀ ସସ୍ମିତା ଦାସ, ଗୀତାରାଣୀ ଜେନା,ଏସସିଏସଟି ସେଲ କୋରେଇର ଯଶବନ୍ତ ଜେନା, ଯୁବନେତା ଶାନ୍ତନୁ ପାତ୍ର, ବଳରାମ ଜେନା, ଚିନ୍ତାମଣି ମଲ୍ଲିକ, ସୁବାସ ମଲ୍ଲିକ, ଦୁଷ୍ମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ୱରେ ଯାଜପୁର ରୋଡ଼ ଆଇଆଇସିଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ହ୍ୟୁମାନଙ୍କ ଅସୁସ୍ଥତା ସମୟରେ କେଉଁ ପରିସ୍ଥିତିରେ ନିଜ ମା’ଙ୍କ ଅନୁପସ୍ଥିତରେ ଚିକିତ୍ସା ପାଇଁ ଆଡମିଶନ କରାଗଲା। ଭୀଷଣ ଅସୁସ୍ଥତା ମଧ୍ୟରେ ଅନ୍ୟ ମେଡିକାଲକୁ କାହିଁକି ସ୍ଥାନାନ୍ତର କରାଗଲା ନାହିଁ ସେ ସମ୍ପର୍କରେ ପୋଲିସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାଳୁ ଦାବି କରାଯାଇଛି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମା’ଙ୍କୁ ରାଜରାସ୍ତା ଉପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣା କ୍ରମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଯାଜପୁର ସିଭିଲ ସୋସାଇଟି ଫୋରମ ଏବଂ ବିର୍ଭିଣ୍ଣ ଗଣ ସଂଗଠନ ଗୁଡିକ ପକ୍ଷରୁ ଦାବି କରାଯାଇଛି। ହ୍ୟୁମାନ ସାଗର ଷ୍ଟେଜ ପ୍ରୋଗ୍ରାମରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ସେ ଟଙ୍କା କାହା ସ୍ବାର୍ଥରେ ଲାଗିଛି। ହ୍ୟୁମାନଙ୍କ ଅସୁସ୍ଥତା ଭିତରେ ଷ୍ଟେଜ ପ୍ରୋଗ୍ରାମର ଅନୁମତି କାହା ସ୍ବାର୍ଥରେ ହୋଇଥିଲା । ତାହାର ନିରପେକ୍ଷ ତଦନ୍ତ ପାଇଁ ସାହିତି୍ୟକ,ବୁଦ୍ଧିଜୀବୀ,ମାନବାଧିକାର କର୍ମୀ, ସଂଗଠନଗୁଡିକ ପକ୍ଷରୁ ଦାବି କରାଯାଇଛି। ସଂଗଠନ ସମୂହ ପକ୍ଷରୁ ବିଶ୍ୱନାଥ ପାତ୍ର, ପ୍ରଫୁଲ୍ଲ ନାୟକ ଏବଂ ଅନ୍ୟ ନେତୃବର୍ଗ ପୋଲିସ ନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଦାବି କରି ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।

Dharitri – Odisha’s No.1 Odia Daily