କିଏ ଓଡ଼ିଆ

ଓଡ଼ିଶାର ଭାଷା, ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ଇତିହାସ ସ୍ବତନ୍ତ୍ର। ପ୍ରତ୍ୟେକ ରାଜ୍ୟର ଭାଷାକୁ ନେଇ ସେହି ରାଜ୍ୟର ଜାତୀୟତା ବା ରାଜ୍ୟର ପ୍ରାମାଣିକ ପରିଚୟ ହୋଇଥାଏ। ସେ ଦୃଷ୍ଟିରୁ ବିଚାର କଲେ ଅନେକ ପ୍ରଶ୍ନ ଆସେ ଓଡ଼ିଆ କିଏ ବା କିଏ ଓଡ଼ିଆ।
ତେବେ ଏଥିରେ ଅନେକ ଯୁକ୍ତି ଉପସ୍ଥାପନ କରାଯାଇ ପାରେ ଯଥା: ୧- ବ୍ୟକ୍ତିର ଜନ୍ମ ଓଡ଼ିଶାରେ ହୋଇଥାଏ ଓ ଭାଷା ଅନ୍ୟ ଭାଷାରେ କରିଥାଏ, ୨- ଜନ୍ମ ଓଡ଼ିଶାରେ ଭାଷା ଓଡ଼ିଆରେ, ୩- ଜନ୍ମ ଓଡ଼ିଶାରେ, ଭାଷା ଓଡ଼ିଆରେ ଜାଣି ମଧ୍ୟ ଅନ୍ୟ ଭାଷାରେ ବାର୍ତ୍ତାଳାପ କରିଥାନ୍ତି, ୪- ଜନ୍ମ ଓଡ଼ିଶା ବାହାରେ, ଭାଷା ଅନ୍ୟ ଭାଷାରେ ମାତ୍ର କାର୍ଯ୍ୟ ଓଡ଼ିଶାରେ, ୫- ଜନ୍ମ ଓଡ଼ିଶାରେ, ଭାଷା ଓଡ଼ିଆ ସହିତ ଅନ୍ୟ ଭାଷାରେ ମାତ୍ର ଓଡ଼ିଆ ପାଇଁ କାମ ବିଦେଶରେ। ଓଡ଼ିଆ ସମାଜ ବା ଜାତିର ମୁକ୍ତି ସଂଗ୍ରାମ ଆନ୍ଦୋଳନ ସାଧୀନତା ପୂର୍ବରୁ ଓ ପରେ। ଓଡ଼ିଆ ଧର୍ମ, ସଂସ୍କୃତି, ପରମ୍ପରା, ଖାଦ୍ୟ, ପୋଷାକ ଆଦି ଆଦରକୁ ନେଇ ଓଡ଼ିଶା ବାହାରେ ପରିଚୟ, ୬- ଅନ୍ୟ ରାଜ୍ୟର ବ୍ୟକ୍ତି ଓଡ଼ିଆ ଝିଅ ବା ପୁଅ ବିବାହ ଦ୍ୱାରା, ୭- ଅଧ୍ୟୟନ ପାଇଁ ଅନ୍ୟ ରାଜ୍ୟରୁ ଓଡ଼ିଶାରେ ଦୀର୍ଘଦିନ ଧରି ବସତି ସ୍ଥାପନ ଓ ଓଡ଼ିଶାର ରୀତି ନୀତି ସହିତ ସମ୍ପୃକ୍ତି , ୮- କର୍ମ ସଂସ୍ଥାନ ପାଇଁ ଅନ୍ୟ ରାଜ୍ୟରୁ ଓଡ଼ିଶାରେ ବସତି ବା ଓଡ଼ିଶାରେ କର୍ମସଂସ୍ଥାନ ପାଇଁ ଓଡ଼ିଆ ଶିକ୍ଷାର ବାଧ୍ୟତା। ଏସବୁ ଦୃଷ୍ଟିକୋଣକୁ ବିଚାର କଲେ ଅନେକ ଦ୍ୱନ୍ଦ୍ୱ ଓ ନିର୍ଣ୍ଣୟରେ ଉପନୀତ ହେବାକୁ ପଡ଼ିଥାଏ ଯେ ସିଏ ହେଉଛି ଓଡ଼ିଆ, ଯିଏ ଓଡ଼ିଆକୁ ଭଲ ପାଏ ଓ ଓଡ଼ିଶାର ହିତ ତଥା ସଂସ୍କୃତି ପରମ୍ପରା ଆଦିକୁ ସମ୍ମାନ ଦିଏ।
ଓଡ଼ିଶା ମଧ୍ୟରେ ଅନେକ ବ୍ୟକ୍ତି ଜନ୍ମ ହୋଇ ଓଡ଼ିଆ କହନ୍ତି ନାହିଁ, କେବଳ ଓଡ଼ିଶାର ପରିଚୟ ନେଇ ବା କେତେବେଳେ ଓଡ଼ିଶାର ପରିଚୟ ନ ନେଇ ଜୀବନ ଅତିବାହିତ କରିଥାନ୍ତି। ଅନ୍ୟପକ୍ଷରେ ଅନେକେ ଓଡ଼ିଶା ବାହାରର ବ୍ୟକ୍ତି ଓଡ଼ିଶାରେ ଜନ୍ମ ନ ହୋଇ ବା ଭାରତ ବାହାରେ ଜନ୍ମ ହୋଇ ଓଡ଼ିଶା ପ୍ରତି ବା ଓଡ଼ିଆ ଜାତି ପ୍ରତି ସେମାନଙ୍କ ଅବଦାନ ରହିଛି। ଅନସୂୟା ପ୍ରସାଦ ପାଠକ ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ଓଡ଼ିଶାରେ ଅନେକ କାର୍ଯ୍ୟ କରିଛନ୍ତି ତଥା ଭାଷାର ଉନ୍ନତି ପାଇଁ ତାଙ୍କର ଯଥେଷ୍ଟ ଯୋଗଦାନ ରହିଛି, ଯାହା ସୃଷ୍ଟି କରିଥିଲା ଐକ୍ୟତା। ପ୍ରେମଚାନ୍ଦ ହିନ୍ଦୀ ଭାଷାର ବ୍ୟକ୍ତି ହୋଇ ମଧ୍ୟ ଓଡ଼ିଆର ଅନେକ ପୁସ୍ତକ ସୃଷ୍ଟି କରିଛନ୍ତି। ବାବୁଲାଲ ଯୋଶୀ ଯିଏ କଳା ବିକାଶ କେନ୍ଦ୍ର ପ୍ରତିଷ୍ଠା, ଓଡ଼ିଆ ଚଳଚ୍ଚିତ୍ର, ଚିକିତ୍ସାଳୟ, ଶିକ୍ଷାନୁଷ୍ଠାନ ଆଦି କରି ଓଡ଼ିଆ ଜୀବନର ଧାରାକୁ ଆଦରି ନେଇଥିଲେ। ଜେବିଏସ ହାଲଡେନ ଭୁବନେଶ୍ୱରରେ ଜେନେଟିକ୍ସ ଓ ବାୟୋମେଟ୍ରି ଲାବରେଟୋରୀ ପ୍ରତିଷ୍ଠା କରିବା ତଥା ସ୍ଥାନୀୟ ଛାତ୍ରୀଛାତ୍ରଙ୍କୁ ନେଇ ପଶୁ ଓ ମାନବ ଜେନେଟିକ୍ସରେ ଗବେଷଣା କରିବା ହେଉଛି ତାଙ୍କର ବିଶେଷ କୃତି। ସେ ବୈଜ୍ଞାନିକ ଚିନ୍ତାଧାରାକୁ ମଧ୍ୟ ପ୍ରୋତ୍ସାହିତ କରିଥିଲେ, ସରଳ ଯୋଗାଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ତଥା ସୀମିତ ସମ୍ବଳ ସତ୍ତ୍ୱେ ମୂଳ ପ୍ରକଳ୍ପଗୁଡ଼ିକୁ ଉତ୍ସାହିତ କରିଥିଲେ। ସମୟକ୍ରମେ ବିଜୁ ପଟ୍ଟନାୟକଙ୍କ ନିମନ୍ତ୍ରଣ କ୍ରମେ ଓଡ଼ିଶାରେ ବିଜ୍ଞାନ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଏକ ଦୃଷ୍ଟାନ୍ତ ଭାବେ ପ୍ରତିପାଦନ କରାଯାଏ। ଓଡ଼ିଶାର କଳା ପାଇଁ ଚାଲର୍‌ସ ଲୁଇସ ଫାବ୍ରିଙ୍କର ମୁଖ୍ୟ ଅବଦାନ ଥିଲା। ତାଙ୍କର ପୁସ୍ତକ ‘ଆର୍ଟ ଅଫ୍‌ ଓଡ଼ିଶା’, ଯାହା ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ଅଞ୍ଚଳର କଳାତ୍ମକ ବିବର୍ତ୍ତନର ଏକ ବିସ୍ତୃତ, ବଂଶାନୁକ୍ରମିକ ବିବରଣୀ ପ୍ରଦାନ କରିଥାଏ ତଥା କଳା ଭଣ୍ଡାରକୁ ଉନ୍ମୋଚନ କରିଥିଲା ଓ ଏହାର ମନ୍ଦିର ସ୍ଥାପତ୍ୟକୁ ଉନ୍ମୋଚିତ କରିଥିଲା। ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟ ରୂପକୁ ପ୍ରୋତ୍ସାହିତ କରିବାରେ, ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପାରମ୍ପରିକ କଳା ରୂପ ଭାବରେ ସ୍ବୀକୃତି ଦେବା ଓ ଏହାର ବିକାଶକୁ ଉତ୍ସାହିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦେଓକରନ ଝୁନ୍‌ଝୁନୱାଲା ଓଡ଼ିଶାର ବାରଙ୍ଗରେ ପ୍ରଥମ କାଚ କାରଖାନା ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହାକୁ ସେ ଦୁର୍ଗା କାଚ କାରଖାନା ନାମ ରଖିଥିଲେ। ଏହି କାରଖାନା ନିର୍ମାଣରେ ତାଙ୍କ ପରିବାରର ଉଦ୍ୟୋଗୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ଯାହା ଶେଷରେ ଓଡ଼ିଶା ଇଣ୍ଡଷ୍ଟ୍ରିଜରେ ପରିଣତ ହୋଇଥିଲା। ଉକ୍ତ ଅଞ୍ଚଳରେ ବିଭିନ୍ନ ଉତ୍ପାଦନ ୟୁନିଟକୁ ଅନ୍ତର୍ଭୁକ୍ତ କରୁଥିବା ବିବିଧ ଶିଳ୍ପ ସମ୍ମିଳନୀ ଆଦି ସୃଷ୍ଟି କରିବା ତାଙ୍କର ଉଦ୍ଦେଶ୍ୟ ଥିଲା, ଯାହା ଥିଲା ଓଡ଼ିଶାର ଉନ୍ନତି।
ଭାଷା ଏକ ସମାଜ ବା ଜାତିକୁ ବାନ୍ଧି ତାହାର ପରିଚୟ ସୃଷ୍ଟି କରେ। ସେ ଦୃଷ୍ଟିରୁ ବିଚାର କଲେ କେବଳ ଓଡ଼ିଶାର ଜନ୍ମିତ ବ୍ୟକ୍ତିକୁ ଓଡ଼ିଆ କୁହାଯାଇପାରେ, ମାତ୍ର ଓଡ଼ିଶାରେ ଜନ୍ମିତ ବ୍ୟକ୍ତି ଓଡ଼ିଆ କହୁ ନ ଥିବା ବା ଓଡ଼ିଶା ପ୍ରତି କୌଣସି ଅବଦାନ ନ ଥିବା ବ୍ୟକ୍ତିଙ୍କୁ ଓଡ଼ିଆ କୁହାଯାଇପାରେ ନାହିଁ। ଜାତି ପ୍ରୀତି ଏକ ଭାବପ୍ରବଣତା ତଥା ଭାବାନୁବେଗର କ୍ରିୟା ଓ ପ୍ରତିକ୍ରିୟା। ଓଡ଼ିଶାରେ ଜନ୍ମ ହୋଇ ଓଡ଼ିଆ ଭାଷା ଓ ଓଡ଼ିଶା ପ୍ରତି ବୈମାତୃକ ଭାବ ବ୍ୟକ୍ତିଙ୍କୁ ଏ ସମାଜ ଓଡ଼ିଆ କହିପାରିବ ତ ? ମାତ୍ର ଓଡ଼ିଶାରେ ଜନ୍ମ ନ ହୋଇ ଓଡ଼ିଶା ପ୍ରତି ତ୍ୟାଗ ଓ ଅବଦାନ ଥିବା ବ୍ୟକ୍ତିଙ୍କୁ ସମାଜ ଓଡ଼ିଆ କହିବା ଆଦୌ ଅଯୌକ୍ତିକ ନୁହେଁ। ଜାତିପ୍ରୀତି ଦେଶପ୍ରୀତି ବ୍ୟକ୍ତି ପାଇଁ ସ୍ବାର୍ଥ ରହିତ ହୋଇଥାଏ। ମାତ୍ର ଓଡ଼ିଆର ସଂଜ୍ଞାକୁ ବିସ୍ତାରିତ ଭାବେ ଚିତ୍ରଣ କଲେ ଜଣାଯାଏ ଯେ ଓଡ଼ିଆ ହେଉଛି ଓଡ଼ିଶାର ଅଧିବାସୀ ତଥା ଓଡ଼ିଶା ପ୍ରତି ସେମାନଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ଅବଦାନ ଓ ଯୋଗଦାନ। ଯଦି ମଣିଷର ଜାତିପ୍ରୀତି ଦେଶପ୍ରୀତି ନ ରହେ ତେବେ ସେ ସମାଜର ଅଲୋଡ଼ା ହୋଇଥାଏ। ଅତଏବ ମଣିଷ ଜୀବଦ୍ଦଶା ମଧ୍ୟରେ ଏକ ସ୍ବତନ୍ତ୍ର ପରିଚୟ ନେଇ ଜୀବନ ନିର୍ବାହ କରିବା ଉଚିତ, ଯେଉଁ ପରିଚୟରେ ମଣିଷ ବର୍ତ୍ତମାନରୁ ଇତିହାସ ହୋଇଥାଏ ଓ ଇତିହାସ ଚିରଦିନ ବ୍ୟକ୍ତିର କର୍ମ ଓ ଆଦର୍ଶକୁ ମନେ ରଖି ସେଥିପାଇଁ କୃତଜ୍ଞ ହୋଇଥାଏ। ତେଣୁ ଓଡ଼ିଆ ସିଏ ଯିଏ ଓଡ଼ିଶାରେ ଜନ୍ମ ହୋଇଥାଏ ବା ନ ହୋଇଥାଏ, ମାତ୍ର ଓଡ଼ିଶାକୁ ଭଲପାଏ ଓ ଓଡ଼ିଶାର ଧର୍ମ ସଂସ୍କୃତି, ଭାଷା, ପରମ୍ପରା ତଥା ବ୍ୟବହାରିକ ଦୃଷ୍ଟିକୋଣକୁ ସାଦରେ ଗ୍ରହଣ କରି ଓଡ଼ିଶାର ନୈତିକ ମୂଲ୍ୟବୋଧକୁ ସମ୍ମାନ ଦେଇଥାଏ। ଯିଏ ଓଡ଼ିଶାର ଉନ୍ନତି ପାଇଁ ନିଜର ସାମର୍ଥ୍ୟକୁ ଅଙ୍ଗୀକାରବଦ୍ଧ କରିଥାଏ, ସେ ହେଉଛି ଓଡ଼ିଆ।

ଡ. ସତ୍ୟ ନାରାୟଣ ମିଶ୍ର

ସହାୟକ ନିର୍ଦ୍ଦେଶକ, ଜାତୀୟ ଅଭିଲେଖାଗାର, ଭାରତ ସରକାର, ଭୁବନେଶର
ମୋ :୯୯୩୭୩୪୫୯୦୦

 

Dharitri – The Largest & Most Trusted Odia Daily