ଢାକା,୭।୨: ବାଂଲାଦେଶ ପୋଲିସ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମାଲୋଚନା କରିବା ପରେ ଅଭିନେତ୍ରୀ ମେହେର ଆଫରୋଜ ଶୋନଙ୍କୁ ଦେଶଦ୍ରୋହ ଅଭିଯୋଗରେ ଗିରଫ କରିଛି। କିଛି ଘଣ୍ଟା ପୂର୍ବରୁ ଜମାଲପୁରରେ ତାଙ୍କ ପରିବାରର ଘର ପୋଡ଼ି ଯାଇଥିଲା। ଶୋନ ଏବଂ ତାଙ୍କ ପରିବାର ଆୱାମୀ ଲିଗ ସହିତ ଜଡିତ।
ଗୁରୁବାର ରାତିରେ ତାଙ୍କୁ ଧାନମଣ୍ଡିରେ ଅଟକ ରଖାଯାଇଥିଲା ବୋଲି ଡିଟେକ୍ଟିଭ ବ୍ରାଞ୍ଚ ଅତିରିକ୍ତ ପୋଲିସ କମିଶନର ରେଜାଉଲ କରିମ ମଲିକ ଢାକା ଟ୍ରିବ୍ୟୁନଙ୍କୁ କହିଛନ୍ତି। ପୋଲିସ କହିଛି ଯେ ଶୋନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆସିଛି ଏବଂ ତାଙ୍କୁ ପଚରାଉଚରା କରାଯାଉଛି। ରିପୋର୍ଟ ଅନୁସାରେ, ସେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କୁ ସମାଲୋଚନା କରିଥିଲେ।
ତାଙ୍କ ଘରେ ଆକ୍ରମଣ ଏବଂ ପୋଡ଼ାଜଳା ହେବାର କିଛି ଘଣ୍ଟା ପରେ ତାଙ୍କୁ ଗିରଫ କରାଯାଇଥିଲା। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜମାଲପୁର ସଦର ଉପଜିଲାପାଳର ନୋରୁଣ୍ଡି ରେଳ ଷ୍ଟେଶନ ନିକଟରେ ସନ୍ଧ୍ୟା ପ୍ରାୟ ୬ଟାରେ ଛାତ୍ର ଏବଂ ସ୍ଥାନୀୟ ବାସିନ୍ଦା ଘରେ ନିଆଁ ଲଗାଇ ଦେଇଥିଲେ। ଏହି ଘରଟି ତାଙ୍କ ବାପା ଇଞ୍ଜିନିୟର ମହମ୍ମଦ ଅଲ୍ଲୀଙ୍କର ଥିଲା।
ମେହର ଆଫରୋଜଙ୍କ ବାପା ଗତ ଜାତୀୟ ନିର୍ବାଚନ ପାଇଁ ଆୱାମୀ ଲିଗ ପ୍ରାର୍ଥୀପତ୍ର ଆବେଦନ କରିଥିଲେ। ତାଙ୍କ ମାଆ ବେଗମ ତହୁରା ଅଲି ସଂରକ୍ଷିତ ମହିଳା ଆସନରୁ ଦୁଇଥର ସଂସଦରେ ସଦସ୍ୟ ଥିଲେ। ଶୋନ ମଧ୍ୟ ଆୱାମୀ ଲିଗ ପ୍ରାର୍ଥୀ ଭାବରେ ସଂରକ୍ଷିତ ସଂସଦୀୟ ଆସନ ପାଇଁ ଗତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।
ମେହେର ଆଫରୋଜଙ୍କୁ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନିକଟତର ବୋଲି ବିଶ୍ୱାସ କରାଯାଏ। ଗତବର୍ଷ ବିଦ୍ରୋହ ପରେ ଶେଖ ହସିନା ଭାରତ ପଳାଇ ଆସିଥିଲେ, ଯେଉଁଠାରେ ସେ ନିର୍ବାସନରେ ଜୀବନ କାଟୁଛନ୍ତି। ମେହର ଆଫରୋଜ ଶୋନ ପ୍ରାୟ ୩୭ ବର୍ଷ ପୂର୍ବେ ଜଣେ ଶିଶୁ କଳାକାର ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପ୍ରଥମ ଥର ପାଇଁ ସେ ୧୯୮୮ରେ ‘ସ୍ବାଧୀନୋତା’ ନାମକ ଏକ ଟିଭି ଧାରାବାହିକରେ ନଜର ଆସିଥିଲେ। ଜଣେ ଅଭିନେତ୍ରୀ ହେବା ବ୍ୟତୀତ ସେ ଜଣେ ପ୍ରସିଦ୍ଧ ଗାୟିକା ଏବଂ ନୃତ୍ୟଶିଳ୍ପୀ ମଧ୍ୟ। ସେ ଲେଖକ-ନିର୍ଦ୍ଦେଶକ ହୁମାୟୁନ ଅହମ୍ମଦଙ୍କୁ ବିବାହ କରିଥିଲେ।