ଇରାନର ‘ମାଷ୍ଟରମାଇଣ୍ଡ’ ଅଲି ଜାଫରୀ: ଯାହାଙ୍କ ରଣନୀତି ଆଗରେ ଫେଲ୍ ମାରିଲା ଆମେରିକା-ଇସ୍ରାଏଲର ‘ଅପରେସନ ଏପିକ ଫ୍ୟୁରୀ’!

ତେହରାନ୍‌,୧୩।୩: ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଥିଲେ। ଏଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ସମେତ ସମସ୍ତ ଶୀର୍ଷ ସାମରିକ କମାଣ୍ଡର ନିହତ ହୋଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଶୀର୍ଷ ନେତୃତ୍ୱ ହରାଇବା ପରେ ମଧ୍ୟ ଇରାନ ଭାଙ୍ଗି ପଡ଼ିନାହିଁ, ବରଂ ଜୋରଦାର ପାଲଟା ଜବାବ ଦେଉଛି। ଆଉ ଏହା ପଛରେ ରହିଛନ୍ତି ଜଣେ ବ୍ୟକ୍ତି ‘ମେଜର ଜେନେରାଲ ମହମ୍ମଦ ଅଲି ଜାଫରୀ’।

କିଏ ଏହି ଅଲି ଜାଫରୀ?
ଜେନେରାଲ ଜାଫରୀ ହେଉଛନ୍ତି ଇରାନର ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (IRGC)ର ପୂର୍ବତନ ମୁଖ୍ୟ। ସେ ୧୯୭୯ରୁ ୧୯୮୯ ପର୍ଯ୍ୟନ୍ତ ଇରାନ-ଇରାକ ଯୁଦ୍ଧରେ ସକ୍ରିୟ ଭାବେ ଲଢ଼ିଥିଲେ। ପରବର୍ତ୍ତୀ ସମୟରେ ସେ ଇରାନର ପ୍ରତିରକ୍ଷା ରଣନୀତିକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ।

କ’ଣ ଏହି ‘ଡିସେଣ୍ଟ୍ରାଲାଇଜଡ୍ ମୋଜାକ୍ ଡିଫେନ୍ସ’ ?
୨୦୦୩ରେ ଆମେରିକା ମାତ୍ର ୨୬ ଦିନରେ ଇରାକର ସଦ୍ଦାମ ହୁସେନ ସରକାରକୁ ପତନ କରିଦେଇଥିଲା। ଜାଫରୀ ଏଥିରୁ ଶିକ୍ଷା ପାଇଥିଲେ ଯେ, ଯଦି ସେନା କେବଳ ଜଣେ ନେତାଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରେ, ତେବେ ନେତାଙ୍କ ମୃତ୍ୟୁ ପରେ ସେନା ବିପର୍ଯ୍ୟସ୍ତ ହୋଇଯିବ। ଏଥିପାଇଁ ସେ ‘ମୋଜାକ୍ ଡିଫେନ୍ସ’ ପ୍ରସ୍ତୁତ କରିଥିଲେ, ଯେଉଁଠି ପ୍ରତିଟି ସାମରିକ ୟୁନିଟ୍ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇ ଯୁଦ୍ଧ ଜାରି ରଖିପାରିବେ।

ଶୀର୍ଷ ନେତାଙ୍କ ମୃତ୍ୟୁ ପରେ ବି କମ୍ପୁଛି ମଧ୍ୟପ୍ରାଚ୍ୟ:
ଯୁଦ୍ଧର ୧୪ତମ ଦିନ (ମାର୍ଚ୍ଚ ୧୩, ୨୦୨୬)। ଇରାନର ସର୍ବୋଚ୍ଚ କମାଣ୍ଡ ପ୍ରାୟ ଶେଷ ହୋଇଯାଇଥିଲେ ବି, ଜାଫରୀଙ୍କ ରଣନୀତି ଯୋଗୁଁ ଇରାନର ବାଲିଷ୍ଟିକ ମିସାଇଲ ଓ ଡ୍ରୋନ୍ ବାହାରିନ, କତାର, ୟୁଏଇ ଏବଂ ଇସ୍ରାଏଲର ସାମରିକ ଘାଟି ଉପରେ କ୍ରମାଗତ ବର୍ଷୁଛି।

ଇରାନର ବୈଦେଶିକ ମନ୍ତ୍ରୀ ସୟଦ ଅବ୍ବାସ ଆରାଗଚି କହିଛନ୍ତି ଯେ, ଆମେରିକାର ପରାଜୟରୁ ଆମେ ଦୁଇ ଦଶନ୍ଧି ଧରି ଶିକ୍ଷା ଗ୍ରହଣ କରିଛୁ। ରାଜଧାନୀ ତେହେରାନରେ ବୋମା ପକାଇ ଆମର ଯୁଦ୍ଧ କରିବା କ୍ଷମତାକୁ କେହି ରୋକି ପାରିବେ ନାହିଁ।

Share