ପହଲଗାମ ଆକ୍ରମଣ ଉପରେ ହ୍ୱାଇଟ୍ ହାଉସର ନଜର, ଟ୍ରମ୍ପ କହିଦେଲେ ବଡ କଥା

ନୂଆଦିଲ୍ଲୀ,୨୨।୪: ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉପରେ ଆମେରିକା ନଜର ରଖିଛି। ହ୍ୱାଇଟ ହାଉସ ପ୍ରେସ ସେକ୍ରେଟାରୀ କାରୋଲାଇନ ଲିଭିଟ କହିଛନ୍ତି, “ରାଷ୍ଟ୍ରପତିଙ୍କୁ ଜାତୀୟ ସୁରକ୍ଷା ଉପଦେଷ୍ଟା ଦ୍ୱାରା ସୂଚନା ଦିଆଯାଇଛି ଏବଂ ଅଧିକ ତଥ୍ୟ ଜଣାପଡ଼ିବା ସହ ତାଙ୍କୁ ନିୟମିତ ଅପଡେଟ କରାଯାଉଛି।

ଆମେ ଏପର୍ଯ୍ୟନ୍ତ ଯାହା ଜାଣିଛୁ, ତାହା ହେଉଛି ଦକ୍ଷିଣ କାଶ୍ମୀରର ଏକ ଜନପ୍ରିୟ ପର୍ଯ୍ୟଟନ ସ୍ଥଳରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣରେ ଡଜନେକ ଲୋକ ନିହତ ହୋଇଛନ୍ତି ଏବଂ ଏହାଠାରୁ ଅଧିକ ଲୋକ ଆହତ ହୋଇଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଯଥାଶୀଘ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥା ହେବେ ଏବଂ ଆମର ପ୍ରାର୍ଥନା ଆହତମାନଙ୍କ ସହ ଅଛି, ସାଙ୍ଗରେ ଆମର ମିତ୍ର ଦେଶ ଭାରତ ପାଇଁ ଆମର ଦେଶର ସମର୍ଥନ ରହିଛି।

ଏହା ପୂର୍ବରୁ ଟ୍ରମ୍ପ କହିଛନ୍ତି, ”ଯୁକ୍ତରାଷ୍ଟ୍ର ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଭାରତ ସହ ଐକ୍ୟବଦ୍ଧତାର ବାର୍ତ୍ତା ପଠାଇଛନ୍ତି।

“କାଶ୍ମୀରରୁ ଆସିଥିବା ଖବର ଅତ୍ୟନ୍ତ ବିଚଳିତ କରୁଛି। ଯୁକ୍ତରାଷ୍ଟ୍ର ଆତଙ୍କବାଦ ବିରୋଧରେ ଭାରତ ସହ ଦୃଢ଼ଭାବେ ଛିଡ଼ା ହୋଇଛି। ଆମେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ଆତ୍ମାର ଶାନ୍ତି ପାଇଁ ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ। ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତର ଅସାଧାରଣ ଜନତାଙ୍କୁ ଆମର ପୂର୍ଣ୍ଣ ସମର୍ଥନ ଏବଂ ଗଭୀର ସମବେଦନା ରହିଛି। ଆମର ହୃଦୟ ଆପଣମାନଙ୍କ ସହ ଅଛି!” ଟ୍ରମ୍ପ ଟ୍ରୁଥ ସୋସିଆଲରେ ପୋଷ୍ଟ କରିଛନ୍ତି।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଲଗାମର ଗ୍ରୀଷ୍ମକାଳୀନ ପର୍ଯ୍ୟଟନ ସ୍ଥଳରେ ଘଟିଥିବା ଏହି “ଜଘନ୍ୟ କାର୍ଯ୍ୟ”କୁ ନିନ୍ଦା କରିଛନ୍ତି, ଏବଂ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆକ୍ରମଣକାରୀମାନଙ୍କୁ “ନ୍ୟାୟର କାଠଗଡ଼ାକୁ ଆଣାଯିବ।”