ୱାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ସେ ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ଦାବି କରାଯାଉଥିବା ବେଳେ ଏବେ ହ୍ବାଇଟ୍ ହାଉସ୍ ପକ୍ଷରୁ ଏହି ଖବରକୁ ସମ୍ପୂର୍ଣ୍ଣ ମିଥ୍ୟା ଓ ଆଧାରହୀନ ବୋଲି କୁହାଯାଇଛି।
ଇରାନ ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କୁ ହଠାତ ’ୱାଲ୍ଟର ରିଡ ନ୍ୟାଶନାଲ ମିଲିଟାରୀ ମେଡିକାଲ ସେଣ୍ଟର’ (Walter Reed National Military Medical Center) ନିଆଯାଇଥିବା ନେଇ ଖବର ପ୍ରସାରିତ ହୋଇଥିଲା। ଏହି ଖବର ପରେ ଆମେରିକା ସମେତ ସାରା ବିଶ୍ୱରେ ଚର୍ଚ୍ଚା ବଢ଼ିଯାଇଥିଲା। ବିଶେଷ କରି ହ୍ବାଇଟ ହାଉସ ପକ୍ଷରୁ ଦିନକ ପାଇଁ ରାଷ୍ଟ୍ରପତିଙ୍କ ସମସ୍ତ ସାଧାରଣ କାର୍ଯ୍ୟକ୍ରମକୁ ବାତିଲ କରାଯିବା ପରେ ଏହି ସନ୍ଦେହ ଆହୁରି ବଢିଥିଲା।
ହ୍ବାଇଟ ହାଉସର କମ୍ୟୁନିକେଶନ ଡାଇରେକ୍ଟର ଷ୍ଟିଭେନ ଚ୍ୟୁଙ୍ଗ ଏହି ଗୁଜବକୁ ଖଣ୍ଡନ କରି କହିଛନ୍ତି ଯେ, ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ନିରନ୍ତର କାମ କରୁଛନ୍ତି। ଇଷ୍ଟର ଛୁଟି ସମୟରେ ମଧ୍ୟ ସେ ଓଭାଲ ଅଫିସରେ ରହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି। ତାଙ୍କ କାର୍ଯ୍ୟକ୍ରମରେ ପରିବର୍ତ୍ତନକୁ ସ୍ବାସ୍ଥ୍ୟ ସହ ଯୋଡିବା ଭୁଲ ବୋଲି ସେ ପ୍ରକାଶ କରିଛନ୍ତି।
୭୯ ବର୍ଷୀୟ ଟ୍ରମ୍ପଙ୍କ ବୟସ ଏବଂ ଶାରୀରିକ ସ୍ଥିତିକୁ ନେଇ ପୂର୍ବରୁ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। କିଛି ଦିନ ପୂର୍ବରୁ ତାଙ୍କ ହାତରେ ନୀଳ ଦାଗ ଦେଖିବାକୁ ମିଳିଥିଲା, ଯାହାକୁ ହ୍ବାଇଟ ହାଉସ ’ଆସ୍ପିରିନ’ ସେବନ ଯୋଗୁ ହୋଇଥିବା କହିଥିଲା। ତାଙ୍କ ପାଦରେ ଫୁଲା ଦେଖାଯିବା ପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା ଯେ ସେ ’କ୍ରୋନିକ ଭେନସ ଇନସଫିସିଏନ୍ସି’ (Chronic Venous Insufficiency) ନାମକ ଏକ ସାଧାରଣ ରୋଗରେ ପୀଡିତ, ଯାହା ବୟସ୍କ ଲୋକଙ୍କ କ୍ଷେତ୍ରରେ ସାଧାରଣ।
ଏବେ ଟ୍ରମ୍ପଙ୍କ ସ୍ବାସ୍ଥ୍ୟ ବିଷୟରେ ଚାଲିଥିବା ଖବରଗୁଡ଼ିକ କେବଳ ସୋସିଆଲ ମିଡିଆର ଏକ ଗୁଜବ ବୋଲି ପ୍ରମାଣିତ ହୋଇଛି ଏବଂ ସେ ନିଜ ଦାୟିତ୍ୱ ତୁଲାଉଛନ୍ତି।