ବାପାଙ୍କୁ ଖୋଜିଖୋଜି ଗଲାବେଳେ ଦେଖିଲେ ପଡିଛି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

ରାୟଗଡ଼ା,୨୨।୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ଶେଷଖାଲ ଥାନା ଅଧୀନ କାରୁବାଇ ପଞ୍ଚାୟତ ଅନ୍ତର୍ଗତ ସାନସିଗୁରୁ ଗ୍ରାମରେ ରକ୍ତାକ୍ତ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ନାରାୟଣ ମାଣ୍ଡାଙ୍ଗି(୬୦)। ତେବେ ଗୁରୁବାର ରାତିରେ ବାପାଙ୍କୁ କାତିରେ ଭୁସି ହତ୍ୟା କରାଯାଇଥିବା ନେଇ ପୁଅ ପ୍ରେମା ମାଣ୍ଡାଙ୍ଗି ଶେଷଖାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇଲା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସହିତ ମୃତଦେହ ଜବତ କରିଛି। ପୁଅ ପ୍ରେମାଙ୍କ ଅଭିଯୋଗ ଅନୁଯାୟୀ ନାରାୟଣ ସବୁଦିନ ଖାଇବା ପାଇଁ ପୁଅଙ୍କ ଘରକୁ ଆସିଥାନ୍ତି। ହେଲେ ଗୁରୁବାର ରାତିରେ ନାରାୟଣ ଖାଇବାକୁ ଆସି ନ ଥିଲେ। ଫଳରେ ସେ ଯାଇ ବାପାଙ୍କ ଘରେ ପହଞ୍ଚିବା ବେଳକୁ ସେଠାରେ ନାରାୟଣଙ୍କ ରକ୍ତାକ୍ତ ମୃତ ଦେହ ପଡ଼ିରହିଥିଲା। ଏନେଇ ତୁରନ୍ତ ଗାଁ ଲୋକଙ୍କୁ ଜଣାଇବା ସହିତ ପୋଲିସରେ ଅଭିଯୋଗ କରିଥିଲେ। ତେବେ ଶୁକ୍ରବାର ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।