ମୋରଡା,୨୧।୧୦(ସ୍ମାରକ ମାଜୀ): ହାତୀ ଆକ୍ରମଣରେ ଗୁରୁତର ଯୁବକ ରାତି ତମାମ ଜଙ୍ଗଲରେ ପଡି ରହି ଛଟପଟ ହେବା ଘଟଣା ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।
ସୂଚନା ଅନୁଯାୟୀ, ରାସଗୋବିନ୍ଦପୁର ରେଞ୍ଜ ଅଧୀନ ଟୁପୁରା ଗ୍ରାମର ସମରାଇ ହେମ୍ବ୍ରମ(୫୫) ଗତ ଅକ୍ଟୋବର ୧୯ ତାରିଖ ରବିବାର ପାଖ ଗାଁ କପ୍ତିପଦାକୁ ଫୁଟବଲ ଖେଳ ଦେଖିବାକୁ ଯାଇଥିଲେ । ଖେଳ ଦେଖି ସାରି ସାରେ ମନାକଷା ଜଙ୍ଗଲ ଦେଇ ସମରାଇ ଘରକୁ ଫେରିବା ସମୟରେ ହାତୀ ହାବୁଡ଼ରେ ପଡ଼ିଥିଲେ ଏବଂ ହାତୀ ଆକ୍ରମଣରେ ସମରାଇଙ୍କ ଗୋଡ଼ ଭାଙ୍ଗି ଯିବାରୁ ସେ ଗୁରୁତର ଅବସ୍ଥାରେ ଜଙ୍ଗଲରେ ପଡିଥିଲେ । ରାତି ତମାମ ସମରାଇ ଏମିତି ଅବସ୍ଥାରେ ପଡି ରହିବା ପରେ ଗତକାଲି ସୋମବାର ପୂର୍ବାହ୍ନ ୧୧ଟା ସମୟରେ ସ୍ଥାନୀୟ ଲୋକେ ଜଙ୍ଗଲକୁ ଯାଇଥିବା ଗୁରୁତର ସମରାଇଙ୍କୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ଫରେଷ୍ଟର ମାଳତୀ ସିଂ, ଫରେଷ୍ଟ ଗାର୍ଡ ଅରବିନ୍ଦ ଗିରି ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ସମରାଇଙ୍କୁ ରାସଗୋବିନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତେବେ ରାତି ତମାମ ଯୁବକ ଜଣକ ଗୁରୁତର ଅବସ୍ଥାରେ ପଡି ରହି ଛଟପଟ ହେବା ଘଟଣା ବାବଦରେ ବନବିଭାଗ କିପରି ଜାଣି ପାରିଲା ନାହିଁ ଏହା ବନବିଭାଗର ଅବହେଳାକୁ ଦାୟୀ କରାଯାଇ ପାରେ ବୋଲି ଅଞ୍ଚଳରେ ଆଲୋଚନା ହେଉଛି । ଏନେଇ ରେଞ୍ଜର ଘନଶ୍ୟାମ ସିଂଙ୍କୁ ପଚାରିବାରୁ ଜଙ୍ଗଲ କଡ଼ କେନାଲ ରାସ୍ତାରେ ବନବିଭାଗ କର୍ମଚାରୀ ଥିଲେ ଏବଂ ଉକ୍ତ ଜଙ୍ଗଲରେ ତିନି ଦିନ ହେଲା ହାତୀ ଅଛନ୍ତି ବୋଲି ଗାଁ ଲୋକକୁ ସୂଚନା ଦେବା ସତ୍ତ୍ୱେ ସମରାଇ କେନାଲ ରାସ୍ତା ନହୋଇ ଜଙ୍ଗଲ ମଝିରେ ଘରକୁ ଫେରୁଥିଲେ ଏବଂ କ୍ଷତିଗ୍ରସ୍ତ ସମରାଇଙ୍କୁ ସରକାରଙ୍କ ତରଫରୁ କ୍ଷତି ପୂରଣ ମିଳିବ ବୋଲି କହିଛନ୍ତି ।
Dharitri – Odisha’s No.1 Odia Daily