ହାତରୁ କାହିଁକି ଶୀଘ୍ର ଲିଭେନି ନିର୍ବାଚନୀ ସ୍ୟାହି: ପଛରେ ରହିଛି ବଡ଼ କାରଣ

ନୂଆଦିଲ୍ଲୀ,୫।୨: ଆଜି ସକାଳ ୭ଟାରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫ ପାଇଁ ମତଦାନ ଆରମ୍ଭ ହୋଇଛି। ଦିଲ୍ଲୀର ସମସ୍ତ ୭୦ଟି ଆସନରେ ମୋଟ ୧.୫୬ କୋଟି ଭୋଟର ସେମାନଙ୍କ ମତଦାନ ଅଧିକାର ବ୍ୟବହାର କରିବେ। କିନ୍ତୁ ଆପଣ ଜାଣନ୍ତି କି ମତଦାନ ପରେ ନିର୍ବାଚନ ଅଧିକାରୀମାନେ ଆଙ୍ଗୁଠିରେ ଲଗାଉଥିବା ସ୍ୟାହି ବା କାଳିରେ କେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ ?
ନିର୍ବାଚନୀ ସ୍ୟାହି କାହିଁକି ପ୍ରୟୋଗ କରାଯାଏ?
ଦେଶରେ ବିଧାନସଭାଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନିର୍ବାଚନ ଅଧିକାରୀମାନେ ଭୋଟ ଦେବା ପରେ ବାମ ଆଙ୍ଗୁଠିରେ ସ୍ୟାହି ଲଗାଇଥାନ୍ତି। ସ୍ୟାହିର ଏହି ପ୍ରୟୋଗରୁ ଜଣାପଡେ ଯେ ବ୍ୟକ୍ତି ଜଣକ ଭୋଟ ଦେଇଛନ୍ତି । ଅନ୍ୟ ଏକ ଦିଗ ହେଉଛି ଯେ କୌଣସି ବ୍ୟକ୍ତି ଦୁଇ ଥର ନିଜର ମତଦାନ ଅଧିକାର ବ୍ୟବହାର କରିପାରିବେ ନାହିଁ। ନିର୍ବାଚନ ଆୟୋଗ ବ୍ୟବହାର କରୁଥିବା ସ୍ୟାହି ସହଜରେ ଧୋଇ ନ ଥାଏ, ସେଥିପାଇଁ ଏହାକୁ ଇଣ୍ଡେଲିବଲ୍‌ ସ୍ୟାହି ମଧ୍ୟ କୁହାଯାଏ। କିନ୍ତୁ ଆପଣ ମଧ୍ୟ ଭାବୁଛନ୍ତି କି ଏହି କାଳିରେ ଏମିତି କିଛି ରାସାୟନିକ ପଦାର୍ଥ ରହିଛି ଯାହା ପ୍ରୟୋଗ ପରେ ବାହାର କରିବା କଷ୍ଟକର ହୋଇଥାଏ ।
ଏବେ ପ୍ରଶ୍ନ ଉଠୁଛି ନିର୍ବାଚନ ପାଇଁ ବ୍ୟବହୃତ ହେଉଥିବା ସ୍ୟାହିିରେ କେଉଁ ରାସାୟନିକ ପଦାର୍ଥ ବ୍ୟବହାର କରାଯାଏ । ନିର୍ବାଚନୀ କାଳି ତିଆରି କରିବା ପାଇଁ ସିଲଭର୍‌ ନାଇଟ୍ରେଟ ବ୍ୟବହାର କରାଯାଉଥିବା ଜଣାପଡିଛି । ସୂଚନା ଅନୁଯାୟୀ, ସିଲଭର ନାଇଟ୍ରେଟକୁ ଚୟନ କରାଯାଇଥିଲା କାରଣ ଏହା ପାଣି ସଂସ୍ପର୍ଶରେ ଆସିବା ପରେ କଳା ହୋଇଯାଏ ଏବଂ ଧୋଇ ନ ଥାଏ ।

ସୂଚନାଯୋଗ୍ୟ, ନିର୍ବାଚନ ଅଧିକାରୀମାନେ ଭୋଟରଙ୍କ ଆଙ୍ଗୁଠିରେ ନୀଳ ସ୍ୟାହି ଲଗାଇଲେ ସିଲଭର ନାଇଟ୍ରେଟ ଆମ ଶରୀରରେ ଥିବା ଲବଣ ସହ ମିଶି ସିଲଭର କ୍ଲୋରାଇଡ ତିଆରି କରିଥାଏ, ଯାହାର ରଙ୍ଗ କଳା ହୋଇଥାଏ। ସିଲଭର କ୍ଲୋରାଇଡ ପାଣିରେ ଦ୍ରବୀଭୂତ ହୁଏ ନାହିଁ ଏବଂ ତ୍ୱଚା ସହିତ ଜଡିତ ରହିଥାଏ । କେବଳ ସେତିକି ନୁହେଁ, ଆଲୋକ ସଂସ୍ପର୍ଶରେ ଆସିଲେ ଏହି ଚିହ୍ନ ଆହୁରି ଗଭୀର ହୋଇଯାଏ। ଏହି ନିର୍ବାଚନୀ ସ୍ୟାହି ଏତେ ଶକ୍ତିଶାଳୀ ଯେ ଏହା ଆଙ୍ଗୁଠିରେ ପ୍ରୟୋଗ ହେବାର ଗୋଟିଏ ସେକେଣ୍ଡ ମଧ୍ୟରେ ନିଜର ଚିହ୍ନ ଛାଡି ଦେଇଥାଏ। ଏହାବ୍ୟତୀତ ଏଥିରେ ଆଲକୋହଲ ଥିବାରୁ ଏହା ୪୦ ସେକେଣ୍ଡରୁ କମ ସମୟ ମଧ୍ୟରେ ଶୁଖିଯାଏ ।
ନିର୍ବାଚନରେ ବ୍ୟବହୃତ ହେଉଥିବା ଏହି ସ୍ୟାହି କେବଳ ଭାରତରେ ନୁହେଁ ବରଂ ବିଶ୍ୱର ୩୦ରୁ ଅଧିକ ଦେଶରେ ବ୍ୟବହୃତ ହୁଏ । ସରକାରୀ ତଥ୍ୟ ଅନୁଯାୟୀ, ମହୀଶୂର ପେଣ୍ଟସ ଆଣ୍ଡ ୱାର୍ନିଶ ଲିମିଟେଡ ପକ୍ଷରୁ ୨୫ରୁ ଅଧିକ ଦେଶକୁ ଏହି ସ୍ବତନ୍ତ୍ର ସ୍ୟାହି ଯୋଗାଇ ଦିଆଯାଉଛି। ଏଥିରେ କାନାଡ଼ା, ଘାନା, ନାଇଜେରିଆ, ମଙ୍ଗୋଲିଆ, ମାଲେସିଆ, ନେପାଳ, ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପ ରହିଛି।

Share