ଯେଉଁଠି ପାଠପଢା, ସେଇଠି ମଧ୍ୟାହ୍ନଭୋଜନ: ଶିକ୍ଷାଦାନ ବାଧାପ୍ରାପ୍ତ

ଦାରିଙ୍ଗବାଡି,୬।୮(ଅରୁଣ ସାହୁ): ଗୁଣାତ୍ମକ ଶିକ୍ଷା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଥିପାଇଁ ମାଗଣା ଶିକ୍ଷା ରେ ପୋଷାକ, ପାଠ୍ୟ ପୁସ୍ତକ, ମଧ୍ୟାହ୍ନ ଭୋଜନ ଯାହାକି ପୁଷ୍ଟିକର ଖାଦ୍ୟରେ ଅଣ୍ଡା, ଲଡ଼ୁ ଭଳି ଉତ୍ତମ ଖାଦ୍ୟ ପିଲାଙ୍କୁ ପ୍ରଦାନ କରାଯାଉଛି। ହେଲେ ଅନେକ ବିଦ୍ୟାଳୟରେ ଶିକ୍ଷୟିତ୍ରୀଶିକ୍ଷକ ପଦବୀ ଖାଲି ତ ଆଉ କେଉଁଠି ଭିତ୍ତିଭୂମି ଅଭାବରୁ ଶ୍ରେଣୀ କୋଠା, ରୋଷେଇ ଶାଳ, କମନ ରୁମ, ଖେଳ ପଡିଆ, ପିଇବା ପାଣିର ଅଭାବ, ସୌନ୍ଦର୍ଯ୍ୟ କରଣର ଅଭାବ ଭଳି ଅନେକ ପୁଳାପୁଳା ସମସ୍ୟା ଦେଖିବାକୁ ମିଳିଛି। ଏଭଳି ଏକ ବିଦ୍ୟାଳୟ କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ବଅବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ ରହିଛି।

ଯେଉଁଠି ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ୩୦ ଜଣ ଛାତ୍ରୀଛାତ୍ର ରହିଥିବାବେଳେ ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ଅଧିକାଂଶ ସମୟରେ ପାଳିକରି ଛୁଟିରେ ଯାଉଥିବାବେଳେ ଜଣେ ଶିକ୍ଷୟିତ୍ରୀ ବିଦ୍ୟାଳୟର ୫ଟି ଶ୍ରେଣୀକୁ ଜଗି ବସିବା ଛଡା ଆଉ କୌଣସି ଉପାୟ ନ ଥିବା ଦେଖିବାକୁ ମିଳିଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ଅନ୍ୟପଟେ ଦୀର୍ଘ ବର୍ଷ ହେଲା ବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ରୋଷେଇ ଶାଳ ଭାଙ୍ଗିରୁଜି ଯିବା ପରେ ଆଉ ନୂତନ ରୋଷେଇ ଗୃହ ନିର୍ମାଣ କରାଯାଇନାହିଁ। ଫଳରେ ଛାତ୍ରୀଛାତ୍ରଙ୍କୁ ଯେଉଁ ଶ୍ରେଣୀ ଭିତରେ ଶିକ୍ଷାଦାନ କରାଯାଉଛି। ସେହି ଶ୍ରେଣୀ କୋଠା ଭିତରେ ରୋଷେଇ କରାଯିବା ସହ ଗୋଦାମ ଗୃହ ମଧ୍ୟ କରାଯାଇଛି। ରୋଷେଇବେଳେ ପ୍ରେସରକୁକରର ସିଟି ବାଜିବା ହେଉ କି ଭାତ ରନ୍ଧା ବେଳେ ବାମ୍ଫ ନିଶ୍ଚିତ ଭାବେ ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନରେ ବାଧା ସୃଷ୍ଟି ହେଉଛି । ସେହିପରି ଶ୍ରେଣୀ କୋଠାର ଅଭାବ ରହିଥିବାବେଳେ ଏବେ ଉକ୍ତ କୋଠା ମରାମତି ଚାଲିଥିବାରୁ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ସମସ୍ୟା ଦ୍ବିଗୁଣିତ ହୋଇଛି। ସେହିପରି ବିଦ୍ୟାଳୟ ଭିତରକୁ ଯାତାୟାତ କରୁଥିବା କୁନି କୁନି ପିଲାଙ୍କୁ ପ୍ରାୟ ୫ ଫୁଟ ଉଚ୍ଚତା ଚଢି ଯାତାୟାତ କରିବାକୁ ପଡୁଛି। ବିଦ୍ୟାଳୟ ଦେଇ ଯାଇଥିବା ରାସ୍ତାକୁ କଟାଯିବାରୁ ତାହା ମୁଖ୍ୟ ଫାଟକଟି ଉଚ୍ଚରେ ରହିଥିବା ଦେଖିବାକୁ ମିଳିଛି। ଏନେଇ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମଧୁସ୍ମିତା ପ୍ରଧାନ କହିଛନ୍ତି, ସେ ମୁଖ୍ୟ ଫାଟକ ସମେତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ସରପଞ୍ଚଙ୍କ ସମେତ ବିଭାଗୀୟ ଅଧିକାରୀ ଏବଂ ଗ୍ରାମବାସୀଙ୍କୁ ଜଣାଇଛି ବୋଲି କହିଛନ୍ତି। ଏଥିସହ ଜଣେ ଶିକ୍ଷୟିତ୍ରୀ ସେଦିନ ଛୁଟିରେ ଥିବା ସେ କହିଛନ୍ତି।