ନୂଆପଡ଼ା/କୋମନା,୩୦।୧୨(ମକାରୁ ବେମାଲ/ ମହେଶ ବାଗ):ନୂଆପଡା ଜିଲା କୋମନା ଥାନା ଜେଠୁପାଲି ଗାଁର ଓଁକାର ତାଣ୍ଡି (୨୩) ଗତ ବୁଧବାର ୧୭ ତାରିଖ ରାତି ୮ରୁ ନିଖୋଜ ହୋଇଯାଇଛନ୍ତି। ୧୩ ଦିନ ବିତିଯାଇଥିଲେ ମଧ୍ୟ ଯୁବକଙ୍କ ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ଯୁବକ ନିଖୋଜ ଘଟଣାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଆତଙ୍କ ଓ ଅନିଶ୍ଚିତତା ବଢ଼ିଚାଲିଛି। ସୂଚନା ଅନୁସାରେ ଜେଠୁପାଳି ଗାଁର ନିଖୋଜ ଯୁବକ ଓଁକାର ୧୭ ତାରିଖ ରାତି ୮ ଟାରେ କାହାକୁ କିଛି ନକହି ଘରୁ ହଠାତ ବାହାରିଥିଲେ। କିନ୍ତୁ ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। ପରେ ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ କୌଣସି ଖବର ନ ମିଳିବାରୁ କୋମନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ପରିବାର ଲୋକଙ୍କ କହିବା ଅନୁସାରେ ଯୁବକଙ୍କ ମୋବାଇଲ ଫୋନ ଆଜକୁ ୧୩ ଦିନ ହେବ ବନ୍ଦ ଥିବାରୁ ଚିନ୍ତା ଆହୁରି ବଢ଼ି ଯାଉଛି । ଯୁବକ ନିଖୋଜ ହେବାର ଦିନ ପରେ ଦିନ ଗଡି ଚାଲିଥିଲେ ମଧ୍ୟ ପୋଲିସ ଖୋଜି ଉଦ୍ଧାର କରି ପାରୁନାହିଁ । ଶୀଘ୍ର ଖୋଜି ଯୁବକକୁ ଉଦ୍ଧାର କରିବା ପାଇଁ ପରିବାର ଦାବି କରିଛନ୍ତି। ଯୁବକଙ୍କ ଉଦ୍ଧାର ପାଇଁ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରୁଥିବା କୋମନା ଥାନା ଅଧିକାରୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି।